ଆଜିଠୁ ବାଲିଯାତ୍ରା ଆରମ୍ଭ

କଟକ : ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମୁକ୍ତାକାଶ ବାଣିଜ୍ୟ ମେଳାକୁ ଉଦଘାଟନ କରିବେ। ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇ ନଭେମ୍ବର ୧୨ ଯାଏ ଚାଲିବ । ଏଥର ପାଖାପଖି ୧୬୦୦ ଷ୍ଟଲ୍‌ ପଡ଼ିଛି । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍‌ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ । ସୁରକ୍ଷା ପାଇଁ ୨୦ କଣ୍ଟ୍ରୋଲ ରୁମ୍ ଖୋଲିଥିବା ବେଳେ, ସିସିଟିଭି ସର୍ଭେଲାନ୍ସ , ଡ୍ରୋନ ସର୍ଭେଲାନ୍ସ , ଟ୍ରଫିକ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା କରାଯାଇଛି । ସମାନ୍ତରାଳ ଭାବେ ଭୁବନେଶ୍ବର କୁଆଖାଇ ନଦୀପଠାରେ ମଧ୍ୟ ବାଲିଯାତ୍ରାର ଆୟୋଜନ କରାଯାଇଛି । ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ୩ଟି ପଦକ୍ଷେପ ନେଇଛି । ଶାଳପତ୍ରରେ ୧୦ହଜାର ଗ୍ରିନ୍‌ ବୋଟ୍‌ ତିଆରି କରାଯିବ । ‘କଟକ ଇନ୍‌ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ । ମେଳାରେ ହସ୍ତଶିଳ୍ପ, ମସଲା , ବସ୍ତ୍ର ଓ କୁଟୀର ଶିଳ୍ପର ପସରା ମେଲିଛି । ଏଥିସହ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ସମ୍ଭାର ବି ଲାଗିବ । ତାସହ ପ୍ରତିଦିନ ଦର୍ଶକ ମନୋରଂଜନ ପାଇଁ ସାଂସ୍କୃତିକ ନୃତ୍ୟ ଗୀତର ବି ଆସର ଜମିବ । ସିଏମସି ପକ୍ଷରୁ ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ବନ୍ଦୋବସ୍ତ କରାଯାଇଛି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ ହୋଇଥାଏ । ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ‘କଟକ ଇନ୍‌ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ୍‌ ଆସୁଛି ।

Leave a Reply

Your email address will not be published. Required fields are marked *