କୋଲକାତା : ପାରିତ ହେଲା ଐତିହାସିକ ବିଲ ‘ଅପରାଜିତା’। ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ ନୂଆ ଆଇନ ଆଣିଛନ୍ତି ପଶ୍ଚିମବଙ୍ଗ ସରକାର । ଆରଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମୀ ଓ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ସୋମବାର ଆଲୋଚନା ପରେ ଆଜି ବେଙ୍ଗଲ ଆଣ୍ଟି-ରେପ୍ ବିଲ୍ ବା ଦୁଷ୍କର୍ମ ବିରୋଧୀ ବିଲ୍ ‘ଅପରାଜିତା’ ପାରିତ ହୋଇଛି। ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛି। ଅପରାଜିତା ମହିଳା ଓ ଶିଶୁ ଆଇନ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଓ ସଂଶୋଧନ) ୨୦୨୪ ଆଇନ ଅନୁସାରେ, ଏଣିକି ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ।
ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ। ୧୦ ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବାପରେ ବର୍ତ୍ତମାନ ଏହାକୁ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଉଭୟଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।