ନିଟ୍ କୁ ନେଇ ଆସିଲା ଆଉ ଏକ ବଡ ଚାଞ୍ଚଲ୍ୟ କର ଖବର।ନିଟ୍ ପରୀକ୍ଷା ରେ ହୋଇଥିବା ଅନିୟମିତତା ମାମଲାରେ ସିବିଆଇକୁ ମିଳିଛି ପୁଣି ଆଉ ଏକ ବଡ଼ ସଫଳତା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAର ଟ୍ରଙ୍କରୁ ନିଟ୍ ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି CBI। ପାଟନାରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତ ଜଣକ ପଙ୍କଜ କୁମାର ଓରଫ୍ ଆଦିତ୍ୟର ଘର ବୋକାରୋ ଏବଂ ସେ ଜାମଶେଦପୁର NITରେ ପଢ଼ିଥିବା ଜଣେ ଇଞ୍ଜିନିୟର ବୋଲି ତଦନ୍ତରୁ ଜଣାପଡ଼ିଛି।
ତେବେ ସେ ଝାଡ଼ଖଣ୍ଡର ହଜାରୀବାଗରେ ରଖାଯାଇଥିବା NTA ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିବା ସୁରାକ୍ ପାଇଛି CBI। ଏଥିସହିତ ପଙ୍କଜର ସହଯୋଗୀ ରାଜୁ ସିଂଙ୍କୁ ମଧ୍ୟ ହଜାରିବାଗରୁ ଧରିବାରେ ସଫଳ ହୋଇଛି ସିବିଆଇ । ସେ ପ୍ରଶ୍ନପତ୍ର ଚୋରି କରିବାରେ ପଙ୍କଜ କୁ ସାହାଯ୍ୟ କରିବା ସହ ଅନ୍ୟ ଗ୍ୟାଙ୍ଗ ସଦସ୍ୟ ମାନଙ୍କ ମଧ୍ୟରେ ବାଣ୍ଟିଥିଲା । ଏଥିସହ ଏହି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫଦାରୀ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି। କିଛି ଦିନ ପୂର୍ବରୁ ଏହି ମାମଲାର ମାଷ୍ଟରମାଇଣ୍ଡ ଥିବା ରାକେଶ ରଞ୍ଜନ ଓରଫ୍ ରକିକୁ ପାଟନାରୁ ଗିରଫ କରି, ୧୦ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ଚଳିତ ବର୍ଷ ହୋଇଥିବା ନିଟ୍ ପରୀକ୍ଷାକୁ ନେଇ ଅନେକ ବିବାଦ ଲାଗି ରହିଛି। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ସନ୍ଦେହ କରାଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ NTA CBIକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।ସୂଚନା ଅନୁସାରେ ପୂର୍ବରୁ NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମଧ୍ୟ ମାଗିଥିଲେ ସୁପ୍ରିମକୋର୍ଟ । କେଉଁ ସବୁ ସହରର ପରୀକ୍ଷା କେନ୍ଦ୍ରରେ ପେପର ଲିକ୍ ହୋଇଛି ସେ ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।