ଭାରତକୁ ଫେରିବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ସ୍ଵପ୍ନକୁ କରିବ ପ୍ରଗାଢ଼। ଦୀର୍ଘ୨୦ ବର୍ଷ ପରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର ମିଳିଛି । ଏହିଠାରୁ ସ୍ଵର୍ଣ୍ଣିମ ଯୁଗର ଶୁଭାରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଭାପତି ଡ.ଡୋନାଲ୍ଡ ରୁକାରେ। ଏହା ବୁଧବାର ବୈଠକ ପରେ ସେ କହିଥିବା ବେଳେ ୨୦୨୬ରେ ଗ୍ଲାସ୍ଗୋରେ ପରବର୍ତ୍ତୀ ସଂସ୍କରଣର ସଫଳ ଆୟୋଜନ ପରେ ସେ ସମସ୍ତଙ୍କୁ ଅହମଦାବାଦକୁ ସ୍ୱାଗତ କରିବେ ବୋଲି ମଧ୍ୟ କହିଛନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ତଥା ଦୌଡ଼ରାଣୀ ପିଟି ଉଷା ରୁକାରେଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏଭଳି ଏକ କ୍ରୀଡ଼ାକୁ ଆୟୋଜନ କରିବା ଆମ ପାଇଁ ସମ୍ମାନର ବିଷୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ପ୍ରକଟ କରିଥିବା ଆସ୍ଥା ଲାଗି ଭାରତ କୃତଜ୍ଞ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟାଳୟର ଏହି ଘୋଷଣା ପରେ ଭାରତୀୟ କ୍ରୀଡ଼ା ଜଗତରେ ଖେଳି ଯାଇଛି ଖୁସିର ଲହରି।
