ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା

ପୁରୀ: ରକ୍ଷା ବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବ । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ । ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ । ମଧ୍ୟାହ୍ନ ଧୂପ ପରେ ସିଂହାରି ସେବାୟତ ମହାପ୍ରଭୁଙ୍କୁ ଏହି ରାକ୍ଷୀ ପରିଧାନ କରାଇବେ । ତେବେ ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ । ଦେବୀ ସୁଭଦ୍ରା ନିଜର ଦୁଇଭାଇ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ । ପ୍ରାୟ ୧୫ କିଲୋ ବାସୁଙ୍ଗୀ ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ । ଯେଉଁ ରାକ୍ଷୀକୁ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ବାନ୍ଧିଥାନ୍ତି । ଏହାବ୍ୟତୀତ ଶ୍ରୀଜୀଉମାନେ ଦୁଇଟି ଲେଖାଏଁ ଗୁଆମାଳ ମଧ୍ୟ ପରିଧାନ କରିଥାଆନ୍ତି । ନାଲି,ସବୁଜ,ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳ ରାକ୍ଷୀକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ । ମାଣିଆବନ୍ଧରେ ତିଆରି ହୋଇଥିବା ପାଟ ସୂତାରୁ ଏହି ରାକ୍ଷୀକୁ ପାଟରା ସେବାୟତ ପ୍ରସ୍ତୁତ କରିଥାଆନ୍ତି ।

ବର୍ଷବର୍ଷ ଧରି ଶ୍ରୀ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବରେ ପାଳିତ ହୋଇ ଆସୁଥିବା ମାନବୀୟ ଲୀଳାରେ ଭକ୍ତମାନେ ସାମିଲ ହୋଇଥାନ୍ତି । ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ଶ୍ରୀ ମନ୍ଦିରରେ ପାଳନ କରିବା ସହ ଏହି ଦିନ ବଳଭଦ୍ରଙ୍କ ମଧ୍ୟ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ପାଟେରା ବିଶୋଇଙ୍କ ପକ୍ଷରୁ ରାଖୀ ବାନ୍ଧିବାର ବିଧି ଓ ପରମ୍ପରା ରହିଛି । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳାକୁ ଦେଖିବା ପାଇଁ ଭକ୍ତ ମାନେ ଚାହିଁ ବସିଥାନ୍ତି । ମହାପ୍ରଭୁଙ୍କ ଶ୍ରୀ ହସ୍ତରେ ଏହି ଦିବ୍ୟ ରାକ୍ଷୀକୁ ଲଗାଯାଇ ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *