ଫେକ ଫୋନ୍ ପେ ମାୟାରେ ବାୟା ଯୁବପିଢି

ବାଲେଶ୍ୱର: ଫୋନ୍ ପେ ମାଧ୍ୟମରେ ଟଙ୍କା ନେଉଥିଲେ ହୋଇଯାନ୍ତୁ ସାବଧାନ। ନକଲି ଫୋନ୍ ପେ ଆପରେ ଲୁଟୁଛନ୍ତି ସାଇବର ଲୁଟେରା। ସହଜ ଉପାୟରେ ଟଙ୍କା ରୋଜଗାର କରିବାକୁ ଯାଇ ଫସୁଛନ୍ତି ଯୁବକଯୁବତୀ। ଟାର୍ଗେଟରେ ଜନ ଗହଳିପୂର୍ଣ୍ଣ ଦୋକାନ ବଜାର ଓ ଯାତ୍ରା ମହୋତ୍ସବ। ୟୁଟ୍ୟୁବରୁ ଶିଖି ଫୋନ ପେ ରେ ଲୁଟୁଛନ୍ତି କଲେଜ ପଢୁଆ ଯୁବକଯୁବତୀ। ଠକାମୀର ଶିକାର ହେଉଛନ୍ତି ସଧାରଣ ଲୋକେ ଓ ବ୍ୟବସାୟୀ। ଟ୍ରାଞ୍ଜାକ୍ସନ୍ ସକ୍ସେସ ଫୁଲ ହେଲେ ହେଉଛି ଆକାଉଣ୍ଟ ଖାଲି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସଦର ଥାନା ଆଇଟିଆଇ ଛକ ଇସାନେଶ୍ଵର ମନ୍ଦିର ନିକଟରେ। ସ୍ଥାନିୟ ଅଞ୍ଚଳର ଜଣେ ଯୁବତୀ ଦୋକାନରୁ ସାମଗ୍ରୀ କିଣି ଫୋନ ପେ କରିଥିଲେ। ଟ୍ରାଞ୍ଜାକ୍ସନ୍ ସକ୍ସେସ୍ ଫୁଲ୍ ହେଉଥିଲା, ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁ ନଥିଲା। ସନ୍ଦେହ ହେବାରୁ ଦୋକାନୀ ଜଣକ ଯୁବତୀଙ୍କ ମୋବାଇଲ ଚେକ୍ କରିଥିଲେ। ଚେକ୍ କରି ଜାଣିବାକୁ ପାଇଥିଲେ ଫେକ୍ ଟ୍ରାଞ୍ଜାକ୍ସନ୍ ହୋଇଥିଲା। ଯୁବତୀଙ୍କୁ ପଚରାଉଚୁରା କରି ଜାଣିବାକୁ ପାଇଥିଲେ, ବିଭିନ୍ନ ଦୋକାନରୁ ଏହିଭଳି ଭାବରେ ଯୁବତୀ ଜଣଙ୍କ ଦୋକାନୀମାନଙ୍କୁ ଠକି ଚାଲିଥିଲା। ସମାନ ଭାବେ ଏହି ଘଟଣା ସୋର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଜଣେ ଯୁବକ ଫେକ୍ ଫୋନ୍ ପେ ବ୍ୟବହାର କରି ଟଙ୍କା ପଠାଉଥିବା ସମୟରେ କର୍ମଚାରୀଙ୍କ ହାତରେ ଧରା ପଡିଥିଲେ। ପରେ ଭୁଲ ମାଗିବା ସହ ଟଙ୍କା ପୈଠ କରି ଘରକୁ ଯାଇଥିଲେ। ତେବେ ଏହି ଫେକ୍ ଫୋନ୍ ପେ ଆପ୍ଲିକେସନ୍ ଜାଲରେ ପଡ଼ି ଯୁବପିଢି ଟଙ୍କା କାରବାରର ଏକ ସହଜ ଉପାୟ ଭାବି ନେଇଛନ୍ତି। ଯାହା ଫଳରେ ବିଭିନ୍ନ ବର୍ଗର ବ୍ୟବସାୟୀମାନେ ଠକାମୀର ଶିକାର ହେଉଛନ୍ତି। ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇ ସାଇବର ସୁରକ୍ଷା କାର୍ଯ୍ୟକ୍ରମ କରାଯାଉଛି।

Leave a Reply

Your email address will not be published. Required fields are marked *