ରାଜଧାନୀରେ ନିଶାସକ୍ତ ମହିଳାଙ୍କୁ ନେଇ କମିଶନରେଟ ପୋଲିସର ଟେନସନ୍ । ରାଜଧାନୀରେ ମଦ୍ୟପ ମହିଳାଙ୍କୁ ସମ୍ଭାଳିବା ଡର । ଥାନା ହେଉ ବା ଥାନା ବାହାରେ ମଦ୍ୟପ ମହିଳା ଦେଖିଲେ ପୋଲିସର ମୁଣ୍ଡବିନ୍ଧା । ଦିନକୁ ଦିନ କମିଶନରେଟ ପୋଲିସ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା । ମଦ୍ୟପାନ କରି ଉତ୍ପାତ କରିବାରେ ଲାଗିଛନ୍ତି ଜଣକ ପରେ ଜଣେ ମହିଳା । ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ବଳ ମଧ୍ୟ ପ୍ରୟୋଗ କରିପାରୁନାହିଁ । ସମ୍ବେଦନଶୀଳତା ବଜାୟ ରଖି ସ୍ଥିତି ସମ୍ଭାଳୁଛି କମିଶନରେଟ ପୋଲିସ । ବିଗତ କିଛି ଦିନ ହେବ ଭୁବନେଶ୍ୱରରେ ଏହି ଘଟଣା ପୋଲିସର ଟେନସନ ବଢାଇ ଦେଇଛି । ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଜଣେ ମହିଳାଙ୍କୁ ଠାବ କରିଥିଲା କମିଶନରେଟ ପୋଲିସର ମହିଳା ସୁରକ୍ଷା ୟୁନିଟ୍ ‘HER’ ଟିମ୍ । ମଞ୍ଚେଶ୍ଵର ଥାନା କଳାରାହାଙ୍ଗରୁ ମଦ୍ୟପ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିବା ସମୟରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ମହିଳା ଜଣକ ଜଣେ ପୋଲିସ ଅଧିକାରୀଙ୍କୁ କାମୁଡ଼ି ଦେଇଥିଲେ । ପରେ ହସ୍ପିଟାଲରେ ପହଞ୍ଚିବା ପରେ ମହିଳା ଜଣକ ଉଲଗ୍ନ ହେବାକୁ ଉଦ୍ୟମ କରିବା ସହ ହସ୍ପିଟାଲରେ ଥିବା ଏକ ମୃତଦେହକୁ ମଧ୍ୟ ଅଲିଙ୍ଗନ କରିଥିଲେ । ବହୁକଷ୍ଟରେ ପୋଲିସ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ତାଙ୍କ ପରିବାରକୁ ଯୋଗାଯୋଗ କରି ହସ୍ତାନ୍ତର କରିଥିଲା । ସେହିପରି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳାଙ୍କ ଉତ୍ପାତ ସବୁ ସୀମା ଟପିଛି । ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଥାନାକୁ ଆସି ସେଠାରେ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଖୋଜିବାକୁ କହିଥିଲେ । ପରେ ସେ ଥାନାରେ ବସି ରହି ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ଥଟ୍ଟା ପରିହାସ କରିଥିଲେ । ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ଉତ୍ପାତ କରିଥିଲେ । ଏପରିକି ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ହାତ ମାରିବାକୁ ମଧ୍ୟ ମହିଳା ଜଣକ ପଛାଇନଥିଲେ । ତଥାପି ପୋଲିସ ତାଙ୍କୁ ସହନଶୀଳତାର ସହ ବ୍ୟବହାର କରି ମହିଳା ଅଧିକାରୀଙ୍କ ଜରିଆରେ ଘରେ ଛାଡିଥିଲେ । ଏହି ଟ୍ରେଣ୍ଡରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବାର୍ ସାମ୍ନାରେ ଜଣେ ମଦ୍ୟପ ଝିଅ ହାଇଡ୍ରାମା କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ। ବହୁତ ସମୟ ଧରି ତାଙ୍କ ହଙ୍ଗାମା ବି ଚାଲିଥିଲା । ସୂଚନା ପାଇ ପୋଲିସ ଯୁବତୀକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଦ୍ୟପ ଝିଅଟିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଦଳର ସଦସ୍ୟମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା। ଏହି ନାଟକ ପ୍ରାୟ 2 ଘଣ୍ଟା ଧରି ଜାରି ରହିଥିଲା । ଏତେ ନାଟକ ପରେ ପୋଲିସକୁ ଅଳ୍ପ ପରିମାଣର ଜୋରିମାନା ଆଦାୟ କରି ଯୁବତୀଙ୍କୁ ଛାଡିଥିଲା । କେବଳ ଏତିକିରେ ସରିଯାଉନି ନିଶାଡିଙ୍କ ହାଇ ଡ୍ରାମାର କାହାଣୀ, ସେମିତି ରାଜଧାନୀ ରାସ୍ତାରେ ଜଣେ ମଦ୍ୟପ ଯୁବତୀ ହାଇଭୋଲଟେଜ୍ ଡ୍ରାମା ସୃଷ୍ଟି କରିଥିଲେ । ଯୁବତୀ ଜଣକ ଇନଫୋସିଟି ଅଞ୍ଚଳର କଳାରାହାଙ୍ଗା ଛକରେ ଥିବା ଏକ ମଦ ଦୋକାନକୁ ଯାଇ ମଦ୍ୟପାନ କରିଥିଲେ । ଗୋଟିଏ ପରେ ଗୋଟିଏ ୧୦ଟି ବିୟର ବୋତଲ ପିଇଥିଲେ ଏବଂ ତା’ପରେ ହାଇଭୋଲଟେଜ୍ ଡ୍ରାମା ସୃଷ୍ଟି କରିଥିଲେ ଯାହା ପ୍ରାୟ ଚାରି ଘଣ୍ଟା ଧରି ଜାରି ରହିଥିଲା । ଯୁବତୀ ଜଣକ ମଦ ଦୋକାନରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ଏବଂ ପରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଗାଳିଗୁଲଜ କରି ଚାଲିଥିଲେ । ଇନଫୋସିଟି ଥାନାର ପୋଲିସ କର୍ମଚାରୀମାନେ ଯୁବତୀଙ୍କୁ ଘଟଣାସ୍ଥଳରୁ ଉଠାଇ ଥାନାକୁ ନେଇଥିଲେ । ପରେ ଯୁବତୀ ଜଣକ ପୋଲିସକୁ ଏକ ପ୍ରତିଶ୍ରୁତି ଦେବା ପରେ ପୋଲିସ ଯୁବତୀଙ୍କୁ ଛାଡିଥିଲା ।
ଭୁବନେଶ୍ୱରରେ ମଦ୍ୟପ ମହିଳା
