ଆଜି ପ୍ରଥମାଷ୍ଟମୀ ପାଳନ

ଆଜି ପବିତ୍ର ପ୍ରଥମାଷ୍ଟମୀ । ଘରେ ଘରେ ମହକୁଛି ପିଠାପଣା । ଘରର ବଡ଼ ମାନେ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘାୟୁ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ବଡ଼ମାନେ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆ ଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀପତ୍ର ବ୍ୟବହୃତ ହୁଏ ନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୋଇଥାଏ । ହଳଦୀପତ୍ର ପିଠା ଓ ଖିରି ଷଠୀଦେବୀଙ୍କୁ ଲାଗି କରାଯାଏ । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହେବ । ପୋଢୁଆଁ ହେବେ ବଡଠାକୁର । ମାମୁଁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଆସିଥାଏ ମାମୁଁଘରୁ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି । ଏହା କେବଳ ସାଧାରଣ ଲୋକ ନୁହନ୍ତି ବଡ ଠାକୁର, ବଳଭଦ୍ର, ଭାର୍ଗବୀ, ମା’ ଲକ୍ଷ୍ମୀ ମଧ୍ୟ ପଢୁଆଁ ହୋଇଥାନ୍ତି । ଏହି ପଢୁଆଁ ପରମ୍ପରା କାହିଁ କେତେ କାଳରୁ ରହିଆସିଛି ।

Leave a Reply

Your email address will not be published. Required fields are marked *