ନୂଆପଡ଼ା: ନବୀନଙ୍କ ବେଇମାନ ବାଣ ପରେ ହୁଲୁସ୍ତୁଲ ନୂଆପଡ଼ାର ରାଜନୈତିକ ମାହୋଲ । ନବୀନ ଆସିଲେ, ଆଉ ଭାଷଣରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହି ଚାଲିଗଲେ । ଆଉ ତା ପରେ ଚାଲିଲା ଆଟାକ-କାଉଣ୍ଟର ଆଟାକର ପ୍ରକ୍ରିୟା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସିଲେ ବିଧାୟିକା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ରାଲିରେ ବିଜେପି ସରକାରକୁ ଟାର୍ଗେଟ କରି ଜୟଙ୍କୁ ବେଇମାନ କହିଥିଲେ । ଯାହାକୁ କାଉଣ୍ଟର କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋମନା ରୋଡ୍ ସୋ’ ରେ କିଏ ବେଇମାନ ବୋଲି କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଲଟା ପ୍ରଶ୍ନ ସହ ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି । କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ । ତା’ ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇର୍ଟ ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି । ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା । ସେତେବେଳେ ବିଜେଡି ବେଇମାନି କରିଥିଲା କି ନାହିଁ? କାକଟପୁରରେ ଯେତେବେଳେ ଆମେ ଜଣଙ୍କୁ ପ୍ରାର୍ଥୀ କରି ସାରିଥିଲୁ ସେତେବେଳେ ତାଙ୍କୁ ମନ୍ତ୍ରୀପଦର ଲୋଭ ଦେଖାଇ ଚୋରି କରିଥିଲା କିଏ? ବିଜେଡି ଏହାର ଜବାବ ଦେଉ । ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି । ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ । ତା’ ହେଲେ କିଏ ବେଇମାନ? ତା’ର ଜବାବ ତାଙ୍କୁ ଦେବାକୁ ପଡ଼ିବ ।
କିନ୍ତୁ ଏହି ପ୍ରକ୍ରିୟା ଆହୁରି ଗରମ ହୋଇଛି ଯେତେବେଳେ ଶୁକ୍ରବାର ନୂଆପଡ଼ା ଗସ୍ତରେ ଯାଇ ନବୀନ ପୁଣି ଧୋକା କଥା ଉଠାଇଛନ୍ତି । ଖାଲି ରଙ୍ଗ ମାରି ମିଛ ପ୍ରଚାରରେ ବିକାଶ ହୁଏ ନାହିଁ କହି ନବୀନ ପ୍ରଶ୍ନ କରିଛନ୍ତି ୩୦୦ ୟୁନିଟ ମାଗଣା ବିଜୁଳି କା ବିଜଲୀ ମିଳିଲା କି ? ତିନ ହଜାର ପାଂଚ ଶହ ଟଙ୍କା ପେନସନ ମିଳିଲା କି ? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଲା କି? ଯୁବକ ମାନଙ୍କୁ ଚାକିରି ମିଳିଲା କି? କଟନୀ ଛଟନୀ ବନ୍ଦ ହେଲା କି? ମିଶନଶକ୍ତି ମାଆଙ୍କୁ ଲୋନ ମିଲିଲା କି? ତେବେ ମିଳିଲା କଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି । ମିଳିଲା କେବଳ ଧୋକା ଆଉ ଧୋକା ।
ତେବେ ଏହାକୁ କାଉଣ୍ଟର କରିବା ପାଇଁ ମଧ୍ୟ ଏବେ ତୟାର ରହିଛନ୍ତି ବିଜେପି ଝାମୁଆ । ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି ନୂଆପଡ଼ା ଗସ୍ତ କରୁଛନ୍ତି, ଏହାର ଯବାବ ମଧ୍ୟ ସେ ନିଶ୍ଚିତ ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
