ବେଙ୍ଗାଲୁରୁ: ସ୍ଵାମୀ ସ୍ତ୍ରୀ କାରରେ ବସି ବେଙ୍ଗାଲୁରୁ ବୁଲୁଥିଲେ । ଆଉ ଏତିକିବେଳେ ଡେଲିଭରି ବୟ ଜଣେ ବାଇକରେ ତରତର ହୋଇ ଯିବା ବେଳେ ଭୁଲବଶତଃ କାରରେ ବାଇକ୍ ସାମାନ୍ୟ ଘସି ହୋଇଗଲା । ଏତିକି ପାଇଁ ରାଗିକି ପଞ୍ଚମ ହୋଇଗଲେ ସ୍ଵାମୀ ସ୍ତ୍ରୀ । ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଡେଲିଭରି ବୟର ଗାଡ଼ିକୁ ଧକ୍କା କରିବା ଦ୍ୱାରା ଡେଲିଭରୀ ବୟଟି ମରିଗଲା । ବେଙ୍ଗାଲୁରୁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ । ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି । ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ପୋଲିସ ଭାବୁଥିଲା ପରେ ସିସିଟିଭି ଦେଖିବା ପରେ ସବୁ ସ୍ପଷ୍ଟ ହୋଇଥିଲା । ଏହି ସ୍ଵାମୀ ସ୍ତ୍ରୀ ଜାଣିଶୁଣି ଡେଲିଭରୀ ବୟ ବାଇକକୁ ଧକ୍କା ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଗଲା। ଗିରଫ ସ୍ୱାମୀ ଜଣକ ହେଲେ ମନୋଜ କୁମାର । ସେ ଜଣେ ମାର୍ଶାଲ ଆର୍ଟ ଶିକ୍ଷକ ଏବଂ ତାଙ୍କ ପତ୍ନୀ ଆରତୀ । ଏହି ଘଟଣାରେ ୨୪ ବର୍ଷୀୟ ଡେଲିଭରୀ ବୟ ଦର୍ଶନଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବରୁଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଘଟଣାଟି ଅକ୍ଟୋବର ୨୫ ତାରିଖ ରାତି ୯ଟା ୩୦ ପରେ ଘଟିଥିଲା । ଏହି ସମୟରେ ଏକ କାର ପୁଟେନାହାଲ୍ଲିର ଶ୍ରୀରାମା ଲେଆଉଟରେ ଦର୍ଶନଙ୍କ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା । ଘଟଣା ପରେ ଜେପି ନଗର ଟ୍ରାଫିକ୍ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ, ପୋଲିସ ଜାଣି ପାରିଥିଲା ଯେ, କାରଟି ଜାଣିଶୁଣି ଦୁଇଚକିଆ ଯାନକୁ ପିଛା କରିଥିଲା ଏବଂ ଧକ୍କା ଦେଇଥିଲା । ଆହୁରି ମଧ୍ୟ, ଘଟଣା ପରେ ସ୍ଵାମୀ ସ୍ତ୍ରୀ ଉଭୟେ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରେ ପଡ଼ିଥିବା କାରର ଭଙ୍ଗା ଅଂଶ ସଂଗ୍ରହ କରିବାକୁ ଆସିଥିଲେ । ନିଜ ପରିଚୟ ଲୁଚାଇବା ପାଇଁ ସେମାନେ ଏଭଳି କରିଥିଲେ ବୋଲି ପୋଲିସ କହିଛି । ତେଣୁ, ସେମାନଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ମଧ୍ୟ ଲଗାଯାଇଛି । ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିବା ପରେ ପୋଲିସ୍ କୋର୍ଟରେ ହାଜର କରିଥିଲା । ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଲୋକମାନେ ଦର୍ଶନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଜୀବନ ନେଇଗଲେ କାର୍ ମାଲିକ
