ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣାରେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଛି। ଏହି ଘଟଣାଟି ସମ୍ବେଦନଶୀଳ ଓ ସ୍ପର୍ଶକାତର ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ତଦାରଖ କରିବ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଜଣେ ବରିଷ୍ଠ ମହିଳା ଆଇପିଏସ୍ ଅଧିକାରୀ ନିରୀକ୍ଷଣ କରିବେ ଓ ତଦନ୍ତରେ ସହଯୋଗ କରିବାକୁ ୪ଜଣ ମହିଳା ଡିଏସ୍ପିଙ୍କୁ ଦାୟିତ୍ବ ଦିଆଯାଇଛି। କ୍ୟାପିଟାଲ ଥାନା ପୋଲିସ କରୁଥିବା ତଦନ୍ତ ଉପରେ ଏହି ସ୍ବତନ୍ତ୍ର ଦଳ ଟିକନିକ ନଜର ରଖିବେ। ଘଟଣଟିର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଥିବା ସୂଚନା ମିଳିଛି । ତେବେ ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାରୁ ସେଠାକାର ପୋଲିସ ସହ ଯୋଗାଯୋଗରେ ରହିଛି କମିସନରେଟ ପୋଲିସ । ଝାଡ଼ଖଣ୍ଡରୁ ଯୁବତୀ ଓ ନାବାଳିକାଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରାଯାଉଥିବାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି ପୋଲିସ । ଖୁବ୍ଶୀଘ୍ର କମିସନରେଟ ପୁଲିସର ଗୋଟିଏ ଦଳ ଝାଡ଼ଖଣ୍ଡ ଅଭିମୁଖେ ଯିବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେଦିଗରେ ମଧ୍ୟ ତଦନ୍ତ ଜାରି ରହିଛି। ନାବାଳିକାଙ୍କୁ ଆଣୁଥିବା ଦଲାଲ କେବଳ ଝାଡ଼ଖଣ୍ଡ ନୁହେଁ, କୋଲକାତା ଓ ବାଂଲାଦେଶରୁ ଯୁବତୀଙ୍କୁ ଦଲାଲ ସହାୟତାରେ ଆଣୁଥିଲେ । ଏହି ସେକ୍ସ ରାକେଟ ଚଳାଉଥିବା ଦଲାଲ ଓ କିଙ୍ଗପିନ୍କୁ ଚିହ୍ନଟ କରାଯାଇଛି।
‘ରେଡ୍ ଫ୍ଲାଗ୍’ ହେଲା, ନାବାଳିକା ଦୁଷ୍କର୍ମ ଘଟଣା
