ମା’ କାଳୀ । ରୂପ ଭୟଙ୍କର । ରଙ୍ଗ କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନ, ଲହକା ଜିଭ କୁ ମୁଣ୍ଡମାଳ ଧାରଣ କରିଥାନ୍ତି । ମା’ ଗୋଟିଏ ହାତରେ ଜିନ୍ନ ମସ୍ତକ ବା ନରମୁଣ୍ଡ ଖପର ଧରିଥିବା ବେଳେ ଅନ୍ୟ ହାତରେ ଖଣ୍ଡା ଧାରଣ କରିଛନ୍ତି । ତୃତୀୟ ହାତରେ ଥିବା ତ୍ରିଶୂଳ ପାପୀ ଓ ରାକ୍ଷସଙ୍କ ମନରେ ସୃଷ୍ଟି କରିଥାଏ ଭୟ । ଆଉ ମା’ଙ୍କ ଚତୁର୍ଥ ହାତଟି ରହିଛି ଅଭୟ ମୁଦ୍ରାରେ । ଯାହା ଆଶ୍ବାସନା ଓ ଆଶୀର୍ବାଦର ପ୍ରତୀକ । ମା’ ଦେବାଧି ଦେବ ମହାଦେବଙ୍କ ଉପରେ ଦଣ୍ଡାୟମାନ ହୋଇଥିବାର ରୂପ ଅତ୍ୟନ୍ତ ଭୟଙ୍କର ।
ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ମା’ କାଳୀଙ୍କ ଶ୍ୟାମକାଳୀ ପୂଜା ପାଳନ କରାଯାଉଛି । ଏହିଦିନ ପୟାଶ୍ରାଦ୍ଧ ମଧ୍ୟ ପାଳନ ହେବ । ହେଲେ, ଜାଣିଛନ୍ତି କି ଆଦିଶକ୍ତି ମା’ ସତୀଙ୍କୁ କାହିଁକି ଏହି ଭୟଙ୍କର ରୂପ ଧାରଣ କରିବାକୁ ପଡ଼ିଥିଲା । ଆସନ୍ତୁ, ଜାଣିବା ମା’ଙ୍କ ଏହି ରୂପ ଧାରଣ ପଛରେ କ’ଣ ରହିଥିଲା ଉଦ୍ଦେଶ୍ୟ ।
କାହିଁକି ଏମିତି ରୂପ ଧାରଣ କଲେ ମା’ ?
କାହିଁକି ପିଇବାକୁ ପଡିଥିଲା ରକ୍ତ ?
କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମା’ କାଳୀଙ୍କ ପୂଜା କରାଯାଇଥାଏ । ଯାହା ଆସନ୍ତା ୨୦ ତାରିଖରେ ପଡୁଛି । ଏହି ଦିନଟି ମା’ କାଳୀଙ୍କୁ ଉତ୍ସର୍ଗୀକୃତ । ଦେବୀ ଦୁର୍ଗା ମହିଷାସୁର ସହ ୯ ଦିନ ଯୁଦ୍ଧ କରିଥିଲେ । ଆଉ ସପ୍ତମ ଦିନରେ ମା’, କାଳୀ ରୂପ ଧାରଣ କରିଥିଲେ । ମା’ ୬୪ ହଜାର ଯୋଗିନୀଙ୍କ ସହ ପ୍ରକଟ ହୋଇ ରକ୍ତବୀଜ ଅତ୍ୟାଚାରରୁ ବ୍ରହ୍ମାଣ୍ଡକୁ ମୁକ୍ତ କରିଥିଲେ ।
ପୂରାଣ ଅନୁସାରେ ରକ୍ତ ଓ ବିଜ ନାମକ ଦୁଇ ରାକ୍ଷସଙ୍କୁ ବରଦାନ ଥିଲା ତାଙ୍କ ରକ୍ତ ଭୂମିରେ ପଡ଼ିଲେ ସେଥିରୁ ରାକ୍ଷସ ପ୍ରକଟ ହେଉଥିଲେ । ଦେବୀ ଦୁର୍ଗା ଏହି ଦୁଇ ରାକ୍ଷସଙ୍କୁ ନିପାତ କରିବାକୁ କାଳୀ ରୂପ ଧାରଣ କରିଥିଲେ । ମା’ ରକ୍ତବୀଜଙ୍କ ସହ ଯୁଦ୍ଧ କରିବା ବେଳେ ସେମାନଙ୍କ ରକ୍ତ ଭୂମିରେ ପଡ଼ିବା ଆଗରୁ ପିଇ ଦେଇଥିଲେ । ଆଉ ଏମିତିରେ ରକ୍ତବିଜଙ୍କ ନିପାତ ହୋଇଥିଲା । ହେଲେ ଏହା ପରେ ପରେ ମଧ୍ୟ ମା’ ଶାନ୍ତ ହୋଇ ନଥିଲା । ଆଉ ତାଙ୍କ ଆଗରେ ଯାହା ଆସିଲା ସେ ତାକୁ ଧ୍ବଂସ କରିବାକୁ ଲାଗିଲେ । ଏମିତି ସ୍ଥିତିରେ ମା’ଙ୍କୁ ଶାନ୍ତ କରିବାକୁ ମହାଦେବ ତାଙ୍କ ଆଗରେ ଶୋଇ ଯାଇଥିଲେ ।
ମା’ ପାପା ନାଶିନୀ
ମା’ ଅଭୟ ଦାୟିନୀ
ମା’ କଷ୍ଟ ହାରିଣୀ
ମା’ଙ୍କ ଭୟଙ୍କର ରୂପ ଦେଖିଲେ ଭୟ ଜାତ ହେବା ସ୍ବାଭାବିକ । ମା’ ପାପୀ ଓ ରାକ୍ଷସଙ୍କୁ ଉଗ୍ର ରୂପରେ ନିପାତ କରୁଥିଲେ ବି ଶାନ୍ତ ମନରେ ଭକ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରିଥାନ୍ତି । ଥରେ ମା’ଙ୍କ କୃପା ଲାଭ କଲେ ସମସ୍ତ ପ୍ରକାର ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଅନେକ ଲୋକ ବିଶ୍ୱାସ କରନ୍ତି କେବଳ ଗୁପ୍ତ ଅଭ୍ୟାସରେ ଜଡିତ ଲୋକମାନେ ମା’ କାଳୀଙ୍କୁ ପୂଜା କରନ୍ତି । ହେଲେ ଏହି ବିଶ୍ୱାସ ସମ୍ପୂର୍ଣ୍ଣ ଭିତ୍ତିହୀନ । ସମସ୍ତେ ଘରେ ମନ୍ତ୍ର ଏବଂ ଧାର୍ମିକ ରୀତିନୀତି ମାଧ୍ୟମରେ ଦେବୀ କାଳୀଙ୍କୁ ପୂଜା କରିପାରିବେ ।
ମା’ କାଳୀ
