ସୁସ୍ଥ ନାରୀ, ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ସୁସ୍ଥ ନାରୀ, ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନ ଯାଜପୁର ଲୋକସଭା ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ହୋଇଯାଇଅଛି। ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଚଳିତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ୟ୍ୟନ୍ତ ଚାଲିବ। ଏହି କାର୍ୟ୍ୟକ୍ରମରେ ସବୁ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଇ.ଏନ୍.ଟି, ଚକ୍ଷୁ, ରକ୍ତଚାପ, ମଧୁମେହ, ରକ୍ତ ପରୀକ୍ଷା, ମୁଖ-ଗହ୍ଵର, ସ୍ତନ ଏବଂ ଗ୍ରୀବା କର୍କଟ, ଗର୍ଭବତୀ ମହିଳା ମାନଙ୍କ ପାଇଁ ପ୍ରସବ ପୂର୍ବବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା, ଟୀକାକରଣ, ରକ୍ତହୀନତା ସ୍ତର ଯାଞ୍ଚ, ଟେଲିମାନସ ସେବା, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଆନେମିଆ ଆଦି ରୋଗ ପାଇଁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଏହି ଅଭିଯାନ ସମୟରେ ସବ୍ ସେଣ୍ଟର୍ , ପି.ଏଚ୍.ସି, ସି.ଏଚ୍.ସି, ଡି.ଏଚ୍.ଏଚ୍, ମେଡିକାଲ କଲେଜ୍ ପରି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ବିଦ୍ୟାଳୟ ସ୍ତରରେ ମେଡିକାଲ ହେଲଥ ୟୁନିଟ, ମାଧ୍ୟମରେ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏଥି ସହିତ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ମାତୃ ଏବଂ ଶିଶୁ ସୁରକ୍ଷା କାର୍ଡ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ପଞ୍ଜିକରଣ ଆୟୁଷ୍ମାନ ବାୟୋବନ୍ଦନା କାର୍ଡ, ସିକିଲ ସେଲ କାର୍ଡ, ପୋଷଣସ୍ଥିତି ଯାଞ୍ଚ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ବ୍ୟବସ୍ଥା କରାଯାଉଛି।

Leave a Reply

Your email address will not be published. Required fields are marked *