କଟକ: ଆସୁଛି ଗଣେଶ ପୂଜା । ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । କିଛି ସାଙ୍ଗ ଗଣେଶ ପୂଜା ପାଇଁ ମାଟି ଆଣିବାକୁ କାଠଯୋଡ଼ି ଯାଇଥିଲେ । ହେଲେ କ୍ଷଣକରେ ସବୁକିଛି ଓଲଟ ପାଲଟ ହୋଇଗଲା । ପୂଜା ପାଇଁ ମାଟି ଆଣିବାକୁ ଯାଇ ନଦୀରେ ବୁଡ଼ିଗଲେ ଦୁଇ ସାଙ୍ଗ। ବହୁ ଖୋଜାଖୋଜି ପରେ ଶେଷରେ ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କଲେ । ଗତକାଲି କଟକ କାଠଯୋଡି ନଦୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାରମ୍ବାର ସେହି ନଦୀରେ ଯାଉଛି ଜୀବନ। ପାଖାପାଖି ତିନି ମାସର ବ୍ୟବଧାନ ପରେ କଟକ କାଠଯୋଡ଼ି ନଦୀରେ ପୁଣି ଅଘଟଣ । ଗତକାଲି କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ କାଜିବଜାର ଅଞ୍ଚଳର ଶୁଭମ୍ ଏବଂ ମହିଦାସ ବଜାରର ଲିପୁ ଦାସ । ଦୁଇ ମୃତକଙ୍କ ବୟସ ୨୦ ବର୍ଷ ଭିତରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଗଣେଶ ପୂଜା ପାଇଁ ମାଟି ଆଣିବାକୁ ନଦୀ ଭିତରକୁ ଯାଇଥିଲେ । କାଠଯୋଡ଼ି ନଦୀ କୂଳରେ ପାଣି ନ ଥିବା ବେଳେ ଦୁଇଶହ ମିଟର ଭିତରକୁ ପାଣି ରହିଥିବାରୁ ମାଟି ଆଣିବା ପାଇଁ ଯାଇଥିଲେ ୬ ଜଣ ଯୁବକ । ସେହି ସମୟରେ ହଠାତ୍ ଦୁଇ ଜଣ ଯୁବକ ଚୋରା ବାଲିରେ ଫସି ଯାଇ ପାଣିରେ ବୁଡ଼ି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ମର୍ମାହତ ।
