48 ଘଣ୍ଟା ପରେ ହେଲା ଶେଷକୃତ୍ୟ

ନବରଙ୍ଗପୁର: ନସିଂ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଇଘରରେ ପ୍ରବଳ ହଙ୍ଗାମା । ଏପଟେ ବିଜେଡି ୧୨ ଘଣ୍ଟିଆ ରାଇଘର ବନ୍ଦ ପାଳନ କରିଥିଲା। ସୋମବାର ଦିନତମାମ ଆମ୍ବୁଲାନ୍ସରୁ ମୃତଦେହ ଓହ୍ଲାଇବାକୁ ଦିଆଯାଇ ନଥିଲା । ଛାତ୍ରୀଙ୍କ ଜନ୍ମମାଟି ଡୁମୁରିମୁଣ୍ଡାରେ ଉତ୍ତେଜନା ଲାଗି ରହିଥିଲା ବେଳେ ରାତି ପ୍ରାୟ ସାଢ଼େ ୭ଟାରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ନସିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆଜି ସକାଳ ସାଢ଼େ ୪ଟାରେ ଡୁମୁରିମୁଣ୍ଡାରେ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟିଥିଲା । ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରାଇଘର ବ୍ଲକ୍ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ସରପଞ୍ଚ ଚରଣ ଗଣ୍ଡ, କଂଗ୍ରେସ ନେତା ମୁନା ତ୍ରିପାଠୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଦାବି କରିଥିଲେ । ସେହିପରି ବଙ୍ଗୀୟ ସମାଜ ପକ୍ଷରୁ ୫୦ ଲକ୍ଷ କ୍ଷତିପୂରଣ ସହ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିଥିବା ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା । ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଆମ୍ବୁଲାନ୍ସରୁ ଶବ ଓହ୍ଲାଯିବ ନାହିଁ ବୋଲି ଜିଦ‌ରେ ଅଟଳି ରହିଥିଲେ ବଳରାମ ମଣ୍ଡଳ, ମୁନା ତ୍ରିପାଠୀ ଓ ଗ୍ରାମବାସୀ । ଅପରାହ୍ନରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ଗାଁରେ ପହଞ୍ଚି ଛାତ୍ରୀଙ୍କ ପରିବାର ସହ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ୧ ଲକ୍ଷ, ମନ୍ତ୍ରୀଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ଆର୍ଥିକ ସହାୟତା ଦିଆଯିବ, ଚିକିତ୍ସା ବାବଦକୁ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ, ଆବାସ ଯୋଜନାରେ ଅନୁଦାନ, ଛାତ୍ରୀଙ୍କ ଭାଇଙ୍କୁ ଆର୍ଏମ୍‌ସିରେ ଅସ୍ଥାୟୀ ଚାକିରି ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରେଡ୍‌କ୍ରସରୁ ୩୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦିଆଯାଇଥିଲା । ପ୍ରତିଶ୍ରୁତି ମିଳିବା ପରେ ପରିବାର ଓ ଗ୍ରାମବାସୀ ଶେଷକୃତ୍ୟ ଲାଗି ରାଜି ହୋଇଥିଲେ ।

Leave a Reply

Your email address will not be published. Required fields are marked *