ବୌଦ୍ଧ: ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ହସ୍ତତନ୍ତ ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ତେବେ ଯଦି ଦେଖିବା ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର ଏକ ସ୍ୱତନ୍ତ୍ରତା ରହିଛି । ସୁକ୍ଷ୍ମ ସୂତାରେ ନିର୍ମିତ ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ଲୋକପ୍ରିୟ । ବୌଦ୍ଧ ଜିଲ୍ଲାର ଅନେକ ଗାଁର ଲୋକେ ମୌଳିକ ବୃତ୍ତି ଭାବେ ଏହି ଶାଢ଼ୀ ବୁଣିଥାନ୍ତି । ନିଜ ହାତରେ ବୁଣାକାରମାନେ ସୁନ୍ଦର ସୁନ୍ଦର ବାନ୍ଧ ଶାଢ଼ୀ ବୁଣିଥାନ୍ତି । ଚାଲିଛି ବିଭିନ୍ନ ଡିଜାଇନର ଶାଢ଼ୀ ବୁଣା କାର୍ଯ୍ୟ । ପିଲାଠୁ ବୁଢା ସବୁ ଲାଗିପଡିଛନ୍ତି ଏହି ଶାଢ଼ୀ ବୁଣାରେ। ବୁଣାକାର ପରିବାର ସୁତା କିଣି ତାକୁ ରଙ୍ଗ ଦେଇ ଶାଢ଼ୀ ବୁଣିଥାନ୍ତି ।

ବଜାରରେ ଦିନକୁ ଦିନ ସମ୍ବଲପୁର ଶାଢ଼ୀର ଚାହିଦା ବଢ଼ିବାରେ ଲାଗିଛି । ଦିନକୁ ଦିନ ବାନ୍ଧ ସୁତାର ଦାମ ବଢୁଛି କିନ୍ତୁ ବୁଣାକାରମାନଙ୍କୁ ଉପଯୁକ୍ତ ପାରିଶ୍ରମିକ କମି କମି ଯାଉଛି । ଫଳରେ ଅନେକ ବୁଣାକାର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି । ସୁତାର ଦାମ ବୃଦ୍ଧି ସହ କଞ୍ଚାମାଲର ବୃଦ୍ଧି ଯୋଗୁଁ ବୁଣାକାରଙ୍କୁ ଲାଭ ମିଳୁ ନଥିବାରୁ ଅନେକ ବୁଣାକାର ପରିବାର ଏହି କାମ ଛାଡିଦେଲେଣି । ନିଜେ ସୂତା କିଣି ରଙ୍ଗ ଦେଇ ବିନା ମେସିନ ସାହାଯ୍ୟରେ ହାତରେ ବୁଣିଥାନ୍ତି । ଗୋଟିଏ ଶାଢ଼ୀ ବୁଣିବା ପାଇଁ ଚାରିରୁ ପାଞ୍ଚ ଦିନ ସମୟ ଲାଗିଥାଏ । ନିଜ ହସ୍ତରେ ବୁଣାକାରମାନେ ବାନ୍ଧ ଶାଢ଼ୀ ଓ ପଶାପାଲି ଶାଢ଼ୀ ବୁଣୁଛନ୍ତି । ବଜାରରେ ଏହି ଶାଢ଼ୀର ଚାହିଦା ଅଧିକ ରହିଛି । ତେବେ ଏସବୁକୁ ଧ୍ୟାନ ଦେଇ ରାଜ୍ୟ ସରକାର ହସ୍ତତନ୍ତ ପରିବାରକୁ ଉପଯୁକ୍ତ ପାରିଶ୍ରମିକ ସହାୟତା ଯୋଗାଇ ଦେଲେ ସେମାନେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରନ୍ତେ ।