ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ଗୁପ୍ତ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପ୍ରତିଶ ପାଲ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପୋଲିସ ତାଙ୍କୁ ଥାନାରେ ଅଟକ ରଖିଛି । ଜଣେ ଭକ୍ତଙ୍କଠାରୁ ଗୁପ୍ତ କ୍ୟାମେରାଯୁକ୍ତ ଚଷମା ଏବଂ ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ଯାହା ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି । ସେହିପରି ଗୁଜରାଟର ବିପୁଲ ପଟେଲଙ୍କୁ ସିଂହଦ୍ୱାର ଥାନା ପୁଲିସ ଧରି ପଚରାଉଚରା କରିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସେବାୟତ ।

ଶ୍ରୀମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ଆଦି ନେବା ଉପରେ କଡ଼ା କଟକଣା ରହିଛି। ଏହା ସତ୍ତ୍ବେ ବିଭିନ୍ନ ସମୟରେ ସୁରକ୍ଷା ବଳୟକୁ ଭେଦ କରି ମନ୍ଦିର ଭିତରକୁ ଏସବୁ ଯାଉଛି। ଫଳରେ ଅନେକ ସମୟରେ ମନ୍ଦିର ଭିତରର ବହୁ ସମ୍ବେଦନଶୀଳ ଫଟୋ, ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ବିଭିନ୍ନ ସମୟରେ ଏହା ଜଣାପଡ଼ିବା ପରେ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥାଏ । ବାସ୍ତବତା କିନ୍ତୁ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏନେଇ ବିଭିନ୍ନ ସମୟରେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ମନ୍ଦିର ଭିତର ଫଟୋ ଏବଂ ଭିଡ଼ିଓ ଯେପରି ବାହାରକୁ ନ ଆସିବ, ସେଥିଲାଗି ଏ ସବୁ ଉପରେ କଟକଣା ରହିଛି, ହେଲେ ବିଭିନ୍ନ ସମୟରେ ଏଥିରେ ବ୍ୟତିକ୍ରମ ଘଟୁଛି।