ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା ଯୋଗୁଁ ମଙ୍ଗଳବାର ଅପରାହ୍ନରେ ଏକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି। ଡେରାଡୁନରୁ ୨୧୮ କିଲୋମିଟର ଏବଂ ଗଙ୍ଗୋତ୍ରୀ ଧାମରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଧରାଲି ଗାଁ । ଏହି ଘଟଣାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ୩୪ ସେକେଣ୍ଡ ମଧ୍ୟରେ ସମଗ୍ର ଗାଁକୁ କିପରି ପାହାଡ଼ରୁ ବର୍ଷା ପାଣି ଓ ଭଗ୍ନାବଶେଷ ଆସି ସମଗ୍ର ଗାଁକୁ ଭସାଇ ନେଇଛି ତାହା ଦେଖିବାକୁ ମିଳିଛି। ଗତ ୨ ଦିନ ଧରି ଏଠାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଉଦ୍ଧାରକାରୀ ଦଳ, ,ଏସଡିଆରଏଫ୍, ଏନଡିଆରଏଫ୍ ସେନା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି। ପ୍ରକୃତିର ଏହି କରାଳ ରୂପରେ ଗାଁର ସମସ୍ତ ଘର ଭୁଶୁଡ଼ି ଯିବା ସହ ହୋଟେଲ, ବଜାର, ସ୍କୁଲ, ସବୁ କିଛି ଭାସି ଯାଇଛି। ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ନଜର ରଖୁଥିବା କହିଛନ୍ତି। ତେବେ ସେଠାରେ ଲଗାତାର ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି ବୋଲି ଏସଡିଆରଏଫ୍ କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ କହିଛନ୍ତି । ଏର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରକାଶିର ପ୍ରଶାସନ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି। ଏଥିସହିତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି।
