ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି।

ଚଳିତ ବର୍ଷ ପାଳନ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ। ଏଥିରେ ଦର୍ଶାଯାଇଛି ଯେ, କିପରି ପ୍ରାଚୀନ ଯୋଗ ଅଭ୍ୟାସ କେବଳ ଶରୀର ଓ ମନକୁ ପୋଷଣ କରେ ନାହିଁ ବରଂ ପ୍ରକୃତି ଏବଂ ସମସ୍ତ ଜୀବଜନ୍ତୁଙ୍କୁ ସମ୍ମାନ ଦେଉଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ବୋଲି ସେ କହିଛନ୍ତି।