ଭୁବନେଶ୍ୱର : ପୁଣି ଓଡ଼ିଶାକୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ମମତା ସରକାର। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଶହଶହ ଆଳୁ ବୋଝେଇ ଟ୍ରକ୍। ଗତ ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ପ୍ରାୟ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଏବଂ ଏହି ସବୁ ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୁଲିସ। ଗତ କିଛିଦିନ ପୂର୍ବରୁ ଓଡ଼ିଶାରେ ଆଳୁ ରାଜନୀତି ତେଜିଥିବାବେଳେ ପୁଣି ସୀମାରେ ମମତା ଆଳୁ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ ମଧ୍ୟ ଦର ବଢି ଚାଲିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହେଉଛନ୍ତି। କିଛିଦିନ ପୂର୍ବରୁ ଆଳୁକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ କଥା ଯାଇଥିଲା। ଏପଟେ ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ପଶ୍ଚିମବଙ୍ଗ ସରକାର ମୌଖିକ ନିର୍ଦ୍ଦେଶ ଜାରି କରି ଆଳୁ ଗାଡ଼ି ହଠାତ ଅଟକାଇଛନ୍ତି । ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଗାଡ଼ି ଗୁଡ଼ିକୁ ଓଡିଶାକୁ ଛଡ଼ା ଯାଉନାହିଁ। ଆଗରୁ ଯେଉଁ ଅନ୍ୟ ବାଟ ଦେଇ ଆସୁଥିଲା, ସେଠି ମଧ୍ୟ ଯାଞ୍ଚ କରାଯାଇ ଅଟକା ଯାଉଛି। ଶୀତଳ ଭଣ୍ଡାରରେ ଥିବା ଆଳୁ ଷ୍ଟକ୍ ଆଉ ପ୍ରାୟ ନାହିଁ । ଆଉ ମାସେ ପରେ ନୂଆ ଆଳୁ ଆସିବ, ତେଣୁ ପୁରୁଣା ଆଳୁ ଗଚ୍ଛିତ ନାହିଁ। ତେଣୁ ଏହି ପ୍ରସଙ୍ଗକୁ ସରକାର ଗୁରୁତ୍ୱର ସହ ନିଅନ୍ତୁ ଓ ସମାଧାନର ବାଟ ତୁରନ୍ତ ବାହାର କରନ୍ତୁ ।
