ଡେନମାର୍କ : ଜରୁରୀ କାଳୀନ ଅବତରଣ କଲା ବିମାନ। ବିମାନରେ ଘଟିଲା ଏକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ ଯାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ବାହାରିଛି ଜୀଅନ୍ତା ମୂଷା। ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କରିଥିଲା ବିମାନ। ଏଭଳି ଏକ ଘଟଣା ଡେନମାର୍କର କୋପେନହାଗନରେ ଦେଖିବାକୁ ମିଳିଛି । ଗତ ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ ଖୋଲିଲା ବେଳେ ସେଥିରୁ ଏକ ଜୀବନ୍ତ ମୂଷା ବାହାରିଥିଲା। ଏହାକୁ ନେଇ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସହିତ ଅସନ୍ତୋଷ ଦେଖାଦେଇଥିଲା। ଏହା ପରେ ଡେନମାର୍କର କୋପେନହାଗନରେ ବିମାନକୁ ଜରୁରୀ ଅବତରଣ ପାଇଁ କୁହାଯାଇଥିଲା । ବିମାନରେ ଘଟିଥିବା ଏଭଳି ଘଟଣାକୁ SAS ବିମାନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସହିତ ଖାଦ୍ୟ ଯୋଗାଣ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଜରୁରୀ ଅବତରଣର କିଛି ସମୟର ବିରତି ପରେ ବିମାନଟି ପୁଣି ଯାତ୍ରୀମାନଙ୍କୁ ନେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।
ବିମାନରେ ବାହାରିଲା ଜିଅନ୍ତା ମୂଷା
