ଭୁବନେଶ୍ୱର : ବନ୍ଦ ହେବ ରାଜଧାନୀ । ଆସନ୍ତା ୨୪ ତାରିଖ ଅର୍ଥାତ ମଙ୍ଗଳବାର ଦିନ ବନ୍ଦ ହେବ ଭୁବନେଶ୍ୱର। ସକାଳ ୬ଟାରୁ ୬ ଘଣ୍ଟିଆ ବନ୍ଦ ହେବ ଭୁବନେଶ୍ୱର। ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ବନ୍ଦ ଘୋଷଣା କରିଛି ବିଜେଡି। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ସୂଚନା ଅନୁସାରେ ଗତ ୧୪ ତାରିଖରେ ଭୁବନେଶ୍ୱରର ପଥରଗାଡ଼ିଆ-ଭରତପୁର ରାସ୍ତାରେ ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ ହରକତ କରିଥିଲେ କିଛି ରୋଡ୍ ରୋମିଓ । ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ନେଇ ସେମାନେ ଭରତପୁର ଥାନାକୁ ଯାଇଥିଲେ । ତେବେ ଦୁର୍ବୃତ୍ତଙ୍କୁ ଧରିବା ବଦଳରେ ଭରତପୁର ଥାନା ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଡିଜିପି । ଯାହାକୁ ନେଇ ଏବେ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି ।
