ଭୁବନେଶ୍ୱର : ପୁଣି ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା। ଆଜି ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ୨୦ କେଜି ସୁନା ଜବତ କରିଛି CT ଏବଂ GST ବିଭାଗ। ଜବତ ହୋଇଥିବା ସମସ୍ତ ୨୦କେଜି ସୁନାରୁ ପ୍ରାୟ ୧୬କେଜି ସୁନାର ହିସାବ ଠିକ୍ ଥିବା ବେଳେ ଅବଶିଷ୍ଟ ଆଉ ୪କେଜି ସୁନାର ହିସାବ ମିଳୁନାହିଁ । ଏଥିରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ଜଣ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ମଧ୍ୟ ଏହି ସୁନା ଯାଉଥିବା ଜଣାପଡିଛି । ଇଣ୍ଡିଗୋ ବିମାନରେ ସୁନା ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା CT ଏବଂ GST ବିଭାଗ । ପରେ CT ଏବଂ GSTର ଏକ ଟିମ୍ ବିମାନ ବନ୍ଦର ବାହାରେ ଛକି ରହିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ୨୦ କେଜି ସୁନା ଧରି ବିମାନ ବନ୍ଦରରୁ ବାହାରିଲା ବେଳେ CT & GST ଟିମ୍ ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କୁ ବାଣୀବିହାରରେ ଥିବା CT ଏବଂ GST ଅଫିସକୁ ନେଇ ଅଧିକ ପଚରାଉଚରା କରାଯାଇଥିଲା। ପଚରାଉଚରା କରିବା ପରେ ଏହି ସୁନା ସବୁ ରାଜସ୍ଥାନରୁ ଆସିଥିବା ବେଳେ ଏହି ବିଷୟରେ ଅଧିକ ତଦନ୍ତ ବର୍ତ୍ତମାନ ଜାରି ରଖିଛି CT ଏବଂ GST ବିଭାଗ ।
