ମଦ୍ୟପ ଯାତ୍ରୀ ମୋଡିଦେଲେ ବସ୍‌ ଷ୍ଟିଅରିଂ

ମୁମ୍ବାଇ : ବସ୍‌ରେ ନିଶାସକ୍ତ ଯାତ୍ରୀଙ୍କର ଉନ୍ମୁକ୍ତ କାଣ୍ଡ। ହୋସ୍‌ରେ ନ ଥିବା ବେଳେ ଯାତ୍ରୀଜଣକ ବସ୍‌ର ଷ୍ଟିଅରିଂକୁ ମୋଡିଦେଲେ। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଚାଲୁଥିବା ପରିବହନ ବିଭାଗର ଇଲେକ୍ଟ୍ରି ବସ୍‌ରେ ଘଟିଛି। ସୂଚନା ଅନୁଯାୟୀ ବସ୍‌ଟି ଦକ୍ଷିଣ ମୁମ୍ବାଇର ୱେଲାର୍ଡ ପିୟରଠାରୁ ରାଣୀ ଲକ୍ଷ୍ମୀବାଇ ଛକ ଅଭିମୁଖେ ଯାତ୍ରା କରୁଥିଲା । ଉକ୍ତ ସମୟରେ ବସ୍‌ରେ ଥିବା ଜଣେ ନିଶାଗ୍ରସ୍ତ ଯାତ୍ରୀଙ୍କର ଡ୍ରାଇଭରଙ୍କ ସହ ଜୋରରେ ଝଗଡ଼ା ହୋଇଥିଲା । ଏହାପରେ ଯାତ୍ରୀଜଣକ ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ଗାଡ଼ିର ଷ୍ଟିଅରିଂକୁ ମୋଡ଼ି ଦେଇଥିଲେ। ଫଳରେ ଡ୍ରାଇଭରଙ୍କର ଆଉ ଗାଡ଼ି ଉପରେ କୌଣସି ନିୟନ୍ତ୍ରଣ ରହି ନଥିଲା। ଏହାପରେ ଦ୍ରୁତ ବେଗରେ ଯାଇ ବସଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ଟି ବାଇକ୍‌, ଗୋଟିଏ କାର୍‌ ଏବଂ ରାସ୍ତାରେ ଚାଲୁଥିବା କିଛି ପାଦଚଲା ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୋଟ ୯ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ନିଶାଗ୍ରସ୍ତ ଯାତ୍ରୀକୁ କାବୁ କରିଛି।

Leave a Reply

Your email address will not be published. Required fields are marked *