କୋଲକାତା : କୋଲକାତାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ଏଣିକି କଠୋର ଆଇନ ପ୍ରଣୟନ କରିବେ ପଶ୍ଚିମବଙ୍ଗ ସରକାର। ଆସନ୍ତା ସପ୍ତାହରେ ରାଜ୍ୟରେ ନୂଆ ଆଇନ ଲାଗୁ ହେବା ସହିତ ଏହି ଆଇନରେ ଦୁଷ୍କର୍ମୀକୁ ଅପରାଧ ଘଟାଇବାର ମାତ୍ର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିବ ବୋଲି ଘୋଷଣା କରିଛନ୍ତି ମମତା । ଆଜି ଦଳର ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ରାଜ୍ୟ ସରକାର ଆସନ୍ତା ସପ୍ତାହରେ ଦୁଷ୍କର୍ମୀକୁ ଫାଶୀ ଦେବା ପାଇଁ ନୂଆ ଗୋଟିଏ ଆଇନ ପ୍ରଣୟନ କରିବେ।
ଏହାସହିତ ସେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ନିନ୍ଦା କରିଛନ୍ତି । ବିଜେପି ନ୍ୟାୟ ଚାହୁଁ ନାହିଁ ବରଂ ସେମାନେ କେବଳ ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଥିବା ମମତା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ କୋଲକାତା ଦୁଷ୍କର୍ମ ଓ ହତ୍ୟାର ଦୋଷୀ ପାଇଁ ଫାଶୀ ଦଣ୍ଡ ଦାବି କରି ମମତା ବାନାର୍ଜୀ ମଧ୍ୟ ଦୁଇ ଦିନ ଧରି ଧାରଣାରେ ବସିବେ ବୋଲି ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି ଅଗଷ୍ଟ ୩୧ରେ ଏଥିପାଇଁ ବିକ୍ଷୋଭ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି। ସେପ୍ଟେମ୍ବର ୧ରେ ସମସ୍ତ ମହିଳା ଫାଶୀ ଦଣ୍ଡ ଓ ଆଇନରେ ସଂଶୋଧନ କରିବା ପାଇଁ ବିକ୍ଷୋଭ କରନ୍ତୁ ବୋଲି ମମତା କହିଛନ୍ତି ।