ପ୍ୟାରିସ : ଆଜିଠୁ ଆରମ୍ଭ ହୋଇଯାଇଛି ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ।। ସାରା ବିଶ୍ବର ମୋଟ ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହୋଇଛି ପାରାଲିମ୍ପିକ୍ସ ୨୦୨୪। ଏଥିରେ ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ହେବ। ଆଜିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଖେଳାଳି ମାନେ ଏହି କ୍ରୀଡ଼ା ମହାକୁମ୍ଭରେ ସାମିଲ ହେବେ। ଚଳିତ ଥର ଭାରତର ମୋଟ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ । ପ୍ରମୁଖ ଖେଳାଳି ସୁଟର ମନୀଷ ନରୱାଲ୍, ସଟଲର୍ କ୍ରୀଷ୍ଣା ନାଗର, ଧାବିକା ଦୀପ୍ତି ଜୀବନଜୀ, ବ୍ୟାଡମିଣ୍ଟନ୍ ତାରକା ସୁହାସ ୟତିରାଜ, ତୀରନ୍ଦାଜ ଶୀତଲ ଓ ହରବିନ୍ଦର ସିଂହ ପ୍ରମୁଖ ସ୍ବର୍ଣ୍ଣ ଦୌଡ଼ରେ ରହିଛନ୍ତି । ଏଥର ପାରାଲିମ୍ପିକ୍ସରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନାହାଁନ୍ତି। ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ୱାଡା ନିୟମ ଉଲ୍ଲଂଘନ କରି ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ ଦ୍ବାରା ନିଲମ୍ବିତ ହେବା ପରେ ପ୍ୟାରିସ୍ ପାରାଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଗତ ସଂସ୍କରଣରେ ଭାରତ ୫ ସ୍ବର୍ଣ୍ଣ ସହ ରେକର୍ଡ ସଂଖ୍ୟକ ୧୯ ପଦକ ଜିତି ୨୪ ତମ ସ୍ଥାନରେ ରହିଥିଲା।
