ରାଜକୋଷରୁ ସବୁ ଲୁଟି ନେଇଛନ୍ତି ବବି

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଜେପି ସରକାର ବବି ଙ୍କର ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ପର୍ଦାଫାଶ କରୁଛନ୍ତି। ବିଜେଡି ସରକାରରେ ଥିବାବେଳେ ନବୀନଙ୍କୁ ଭୁଆଁ ବୁଲାଇ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ବବି । ଯାଜପୁର ଉପରେ ବର୍ଷୁଥିଲା ରାଜ୍ୟସଭା ସାଂସଦ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି । ବବିଙ୍କ ପାଇଁ ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାୟ ୩ ହଜାର ୭୪ କୋଟିର ଅନୁଦାନ ମିଳିଛି କେବଳ ଯାଜପୁରକୁ। ଅନ୍ୟସବୁ ଜିଲ୍ଲାରେ ଯେତିକି ବିକାଶ ଲାଗି ଟଙ୍କା ଦିଆଯାଇନଥିଲା କେବଳ ଯାଜପୁରକୁ ହିଁ ପୁଳା ପୁଳା ଟଙ୍କା ଦିଆଯାଇଥିଲା। ପୁଣି ନିର୍ବାଚନ ବେଳେ ହଠାତ୍ ଦୁଇ ଗୁଣା ହୋଇଯାଇଥିଲା ଅନୁଦାନ । ପ୍ରକଳ୍ପ ଉପରେ ପ୍ରକଳ୍ପ ଉଜାଡି ଦିଆଯାଇଥିଲା କେବଳ ଯାଜପୁର ଉପରେ। ଗତ ୨୦୨୧ ରୁ ୨୪ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯାଜପୁର ଜିଲ୍ଲାକୁ ମୋଟ ୩ ହଜାର ୭୪ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ହଜାର ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

କିନ୍ତୁ ଅନୁଦାନ ଦିଆଯାଇଥିଲେ ମଧ୍ୟ ଏଯାଏଁ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଏବେ ମଧ୍ୟ ଚାଲୁ ରହିଛି । ଆଉ ୧ ହଜାର ୩୭ଟି ପ୍ରକଳ୍ପ ର କାମ ଏ ଯାଏଁ ମଧ୍ୟ ଆରମ୍ଭ ହୋଇନାହିଁ । ପ୍ରକଳ୍ପ କାମ ଆରମ୍ଭ ହୋଇ ନଥିଲେ ବି ପରବର୍ତ୍ତୀ ବର୍ଷରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଯାଜପୁର କୁ ଦେଇଥିଲେ ସରକାର। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ପ୍ରକଳ୍ପ ନ କରି ବବି ଏତେ ଟଙ୍କା ନେଇ କରୁଥିଲେ କଣ ? ନିଜ ଜିଲ୍ଲାରେ ବିକାଶ ନ କରି ନିଜର ବ୍ୟକ୍ତିଗତ ବିକାଶ କରୁଥିଲେ କି ବବି ? ସରକାରୀ କ୍ୱାଟର୍ସକୁ ବିଳାସମୟ ବଙ୍ଗଳା କରିବାରେ ଏହି ସବୁ ଅର୍ଥର ବିନିଯୋଗ ହେଉଥିଲା କି ? ବବିଙ୍କର ଏସବୁ କଳା କାରନାମା ବିଷୟରେ କଣ ଜାଣି ପାରୁନଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ନା ନବୀନଙ୍କ ଆଖିରେ ଧୂଳି ଦେଇ ଏସବୁ କାମ କରୁଥିଲେ ବବି ।

Leave a Reply

Your email address will not be published. Required fields are marked *