ଭୁବନେଶ୍ୱର : ବିଜେଡି ସରକାରର ଚାପରେ ଚାପି ହୋଇ ରହିଯାଇଥିବା ଅନେକ ଘଟଣାର ଏବେ ଗୁମର ଖୋଲିବ ବିଜେପି ସରକାର। ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା।ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରି ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବ ବିଜେପି ସରକାର । ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ସର୍ବ ସାଧାରଣରେ ବିଜେଡି ସରକାରରେ ଥିବା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ପିଏସଓ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ସମସ୍ତଙ୍କ ଆଖି ସାମ୍ନାରେ ଗୁଳିକରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପିଏସଓ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛର କାରଣ ଉପରୁ ଏଯାଏଁ ପରଦା ହଟି ପାରିନାହିଁ। ମନ୍ତ୍ରୀ କହିଛନ୍ତି ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ପୂର୍ବ ସରକାରରେ ସେ ଜଣେ ଦକ୍ଷ ମନ୍ତ୍ରୀ ଥିଲେ। ତାଙ୍କୁ ସର୍ବ ସମୁଖରେ ହତ୍ୟା କରାଯିବାକୁ ବରଦାସ୍ତ କରିବ ନାହିଁ ବିଜେପି ସରକାର । ସେହିଭଳି ଖାଲି ନବ ଦାସ ହତ୍ୟା ମାମଲା ନୁହେଁ ବରଂ ଅନେକ ପୁରୁଣା କେସର ରିଓପନ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୦୮ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ଏବଂ ୨୦୨୨ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର କେସ ମଧ୍ୟ ରିଓପନ ହୋଇ ଦୋଷୀ ଙ୍କୁ ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
