ପ୍ୟାରିସ,୦୭ /୦୮ : ପ୍ୟାରିସ ଅଲିମ୍ପିକ୍ସରେ ହକି ପରେ ଏବେ କୁସ୍ତିରେ ଲାଗିଲା ଭାରତକୁ ବଡ଼ ଝଟ୍କା। ଓଭର ୱେଟ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଡିସକ୍ବାଲିଫାଏଡ୍ ଘୋଷିତ ହୋଇଛନ୍ତି । ଏହା ସହିତ ମଉଳିଯାଇଛି ଭାରତର ଗୋଲ୍ଡ ମେଡାଲ ପାଇବାର ଆଶା। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଛି। ଧାର୍ଯ୍ୟ ଓଜନ ୫୦ କେଜିଠାରୁ ଭିନେଶ ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନର ଥିବା ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଖେଳର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ। ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଁଞ୍ଚି ଥିଲେ ଭିନେଶ। ଗତକାଲି ଖେଳାଯାଇଥିବା ସେମିଫାଇନାଲରେ କ୍ୟୁବା ର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। କିନ୍ତୁ ଆଜି ଫାଇନାଲ୍ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍ ମ୍ୟାଚ୍ ଖେଳି ଥାନ୍ତେ। କିନ୍ତୁ ବର୍ତ୍ତମାନ ସେ ଏହି ମ୍ୟାଚରୁ ସମ୍ପୂର୍ଣ ଭାବରେ ଡିସ୍କ୍ୱାଲିଫାଏଡ୍ ହୋଇଯାଇଛନ୍ତି। ଏହା ସହିତ ତାଙ୍କୁ ଆଉ କୌଣସି ପଦକ ମଧ୍ୟ ମିଳିବ ନାହିଁ । ତେବେ ଭିନେଶ ଫୋଗାଟ୍ ଡିସକ୍ବାଲିଫାଏଡ୍ ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଛି ଭାରତୀୟ ଅଲିମ୍ପିକ ଆସୋସିଏସନ ।
