ମଉଳିଗଲା ହ୍ୟାଟ୍ରିକ ଆଶା

ଶେଷରେ ମଉଳିଗଲା ହ୍ୟାଟ୍ରିକ ମେଡାଲ ଆଶା। ଚଳିତ ଥର ଅଲମ୍ପିକ୍ସରେ ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ଶୁଟର ମନୁ ଭାକର ଶେଷରେ ଏବେ ନିରାଶ ହୋଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସର 25 ମିଟର ପିସ୍ତଲ ଫାଇନାଲରେ ସେ ଚତୁର୍ଥ ସ୍ଥାନରେ ରହି ଯାଇଛନ୍ତି। ଫଳରେ ତାଙ୍କର ହ୍ୟାଟ୍ରିକ୍ ମେଡାଲ ଆଶା ଏବେ ମଉଳି ଯାଇଛି। ଆଜି ଖେଳାଯାଇଥିବା ଫାଇନାଲ ଫାଇଟରେ ଏକ ସମୟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଦ୍ୱିତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ତାଙ୍କୁ ପଛରେ ପକାଇ ହଙ୍ଗେରୀର ବେରୋଣିକା ମେଜର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ସେହିପରି ଦକ୍ଷିଣ କୋରିଆ ପ୍ରଥମରେ ରହି ସ୍ୱର୍ଣ୍ଣ ବିଜେତା ହୋଇ ଥିବାବେଳେ ଫ୍ରାନ୍ସ ରୌପ୍ୟ ଜିତି ନେଇଛି। 22 ବର୍ଷୀୟ ମନୁ 25 ମିଟର ପିସ୍ତଲ ଫାଇନାଲରେ ପଦକ ଜିତି ପାରିନଥିଲେ ମଧ୍ୟ ପୂର୍ବ ଦୁଇ ଇଭେଣ୍ଟରେ ସେ ବ୍ରୋଞ୍ଜ ବିଜୟୀ ହୋଇ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି। ସେ 10 ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ। ଏହାପରେ 10 ମିଟର ମିକ୍ସଡ ଇଭେଣ୍ଟରେ ସେ ସରବଜତ ସିଂହ ସହ ମିଶି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ। ମନୁ ନିଜର ହ୍ୟାଟ୍ରିକ ମେଡାଲ ସହ ଭାରତକୁ ଆଉ ଏକ ପଦକ ଭେଟି ଦେବା ନେଇ ଆଶା କରା ଯାଉଥିଲା। କିନ୍ତୁ ଏବେ ତାଙ୍କର ଆଶା ମଉଳି ଯାଇଛି । ଏଥିସହ ମନୁଙ୍କ ର ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଏବେ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *