ପୁଣି ବେସମେଣ୍ଟ ରେ ପଶିଲା ପାଣି

ପୁଣି ଆଉ ଏକ ବେସମେଣ୍ଟ ଟ୍ରାଜେଡ଼ି। ଦିଲ୍ଲୀ ପରେ ଏବେ ରାଜସ୍ଥାନରେ ଏକ କୋଠାର ବେସମେଣ୍ଟରେ ବନ୍ୟା ପାଣି ପଶି ଯିବାରୁ ସେଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନଙ୍କ ମଧ୍ୟରେ ଜଣେ ୪ ବର୍ଷର ଝିଅ ଥିବା ସୂଚନା ମିଳିଛି । ରାଜସ୍ଥାନ ଜୟପୁରର ବିଶ୍ୱକର୍ମା ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ବର୍ତ୍ତମାନ ମୌସୁମୀ ପ୍ରବାହରେ ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହାମଧ୍ୟରେ ରାଜସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇ ଥିବାବେଳେ ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୂଚନା ଅନୁସାରେ, ପ୍ରବଳ ବର୍ଷା ହେବାପରେ ପରେ ଜୟପୁରର କିଛି ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିଲା। ଏହି ସମୟରେ ବିଶ୍ୱକର୍ମା ଅଞ୍ଚଳର ଏକ ବିଲ୍ଡିଂର ବେସମେଣ୍ଟରେ ତିନି ଜଣ ବସିଥିବା ସମୟରେ ସେଠାରେ ହଠାତ ପାଣି ପଶିଯାଇଥିଲା । ଏବଂ ସେହି ପାଣିରେ ତିନିଜଣ ବୁଡ଼ି ଯାଇଥିଲେ। ତେବେ ଏତେ ମାତ୍ରାରେ ପାଣି ଥିଲା ଯେ, ଉଦ୍ଧାରକାରୀ ଟିମ୍ ଦୀର୍ଘ ସାତ ଘଣ୍ଟା ପରେ ରେସକ୍ୟୁ ଅପରେସନ କରି ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ନିକଟରେ ଦିଲ୍ଲୀରେ ମଧ୍ୟ ଏକ ସମାନ ଧରଣର ଘଟଣା ଘଟିଥିଲା। ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟର ବେସମେଣ୍ଟରେ ବନ୍ୟା ପାଣି ପଶି ଯିବାରୁ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *