ଆରମ୍ଭ ହେଲା ସପ୍ତଦଶ ବିଧାନସଭ। ଆଜିଠାରୁ ଆରମ୍ଭ ହୋଇଯାଇଛି ଓଡିଶା ବିଧାନସଭାରେ ବଜେଟ୍ ଅଧିବେଶନ। ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ସହ ଏହା ହେଉଛି ତାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଗୃହରେ ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ ।
ପ୍ରଥମେ ରାଜ୍ୟପାଳ ରଘୁବର ଦାସ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା। ବିଜେପି ର ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଗୃହରେ ଓଡ଼ିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ମାନେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡ଼ା ହୋଇ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ପ୍ରତିବାଦ କରିଥିଲେ। ଏହା ସହିତ କଂଗ୍ରେସର ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ ଆରମ୍ଭ କରିଥିଲେ।
ସୂଚନା ଅନୁସାରେ ଆଜିର ଏହି ବଜେଟ ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର। ଅର୍ଥ ବିଭାଗକୁ ନିଜପାଖରେ ରଖିଥିବାରୁ ଆସନ୍ତା ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।