ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଛେଚିବ

ଭୁବନେଶ୍ୱର, ୧୭/୦୭: ରାଜ୍ୟରେ ଗୋଟେ ପରେ ଗୋଟେ ମାଡି ଆସୁଛି ଲଘୁଚାପ | ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆସୁଛି ସିରିଜ୍‌ ଲଘୁଚାପ | ଗତ ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର | ଆସନ୍ତା ୨୧ ତାରିଖ ପର୍ଯ୍ୟମନ୍ତ ଏହି ଲଘୁଚାପ ବଳବତ୍ତର ରହିବ | ଏହି ଦୁଇଟି ଯାକ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ କିମ୍ବା ୨୫ ତାରିଖରେ ଆଉ ଏକ ଲଘୁଚାପର ରୂପ ନେଇପାରେ |

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ୧୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ | ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ | ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ | ସେହିପରି ଆଜି ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ମାଲକାନାଗିରି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ | ୧୮ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ଏଥିସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ , ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର |

Leave a Reply

Your email address will not be published. Required fields are marked *