ଏତେ ବର୍ଷ ପରେ ବି ଝୁରୁଛି ଓଡିଶା

୧୯୯୭ ମସିହା ମାର୍ଚ୍ଚ ୨୮ ତାରିଖ । ଭୁବନେଶ୍ୱର ରେ ଜନତା ଦଳ ରାଜ୍ୟ ଶାଖାର ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ସଭିଙ୍କ ପ୍ରିୟ ବିଜୁ ବାବୁ ନବୀନ ନିବାସ ଫେରୁଥାନ୍ତି । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । କିନ୍ତୁ ଏହାକୁ ଖାତିର ନକରି ନବୀନ ନିବାସ ଯାଇ ଖାଇ ପିଇ ବିଶ୍ରାମ ନେବାବେଳେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ । ତେଣୁ କାଳ ବିଳମ୍ବ ନକରି ଦିଲ୍ଲୀ ଯାତ୍ରା କଲେ । ମାର୍ଚ୍ଚ ୨୯ ତାରିଖ ଦିନ ରାମ ମନୋହର ଲୋହିଆ ହସ୍ପିଟାଲ ରେ ଭର୍ତ୍ତି ହେଲେ । ତେବେ ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଏସ୍କଟ ହସ୍ପିଟାଲ ରେ ଭର୍ତ୍ତି କରାଗଲା । ସେଠାରେ ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା କରାଯିବା ସହ ୧୯ ଦିନ ହସ୍ପିଟାଲ ରେ ରହିଲେ । ଏପ୍ରିଲ ୧୫ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟ ରେ ସାମାନ୍ୟ ଉନ୍ନତି ଘଟିଲା । ତେବେ ଏହା ସ୍ଥିର ହୋଇ ରହିଲା ନାହିଁ । ଏପ୍ରିଲ ୧୬ ତାରିଖ ରେ ପୁଣିଥରେ ଶରୀର ରେ ଅବନତି ଘଟିବା ସହ ଭୀଷଣ ଜ୍ବରରେ ସେ ଚେତାଶୂନ୍ୟ ହୋଇଗଲେ । ଶେଷରେ ଏପ୍ରିଲ ୧୭ ତାରିଖ ସକାଳ ୮ ଟା ୧୫ ମିନିଟ ରେ ଶେଷ ନିଶ୍ୱାସ ତ୍ୟାଗ କଲେ ଓଡିଶା ର ବରପୁତ୍ର ତଥା ଝଡର ଇଗଲ ବିଜୁ ପଟ୍ଟନାୟକ । ଉତ୍କଳ ଜନ ମାନସର ନାୟକ ବିଜୁବାବୁ ଙ୍କ ଚୈତ୍ର ମାସ ଦଶମୀ ଗୁରୁବାର ଦିନ ଦେହାନ୍ତ ଘଟିଲା । ସେତବେଳେ ଡାକ୍ତରଖାନାରେ ତାଙ୍କ ପାଖେ ବଡ଼ ପୁଅ ପ୍ରେମ , ଝିଅ ଗୀତା , ସାନ ପୁଅ ନବୀନ ଥିଲେ ।

ଏତେ ବର୍ଷ ପରେ ବି ଝୁରୁଛି ଓଡିଶା:
ଏପ୍ରିଲ ୧୮ ତାରିଖ ଶୁକ୍ରବାର ସକାଳ ୮ ଟା ବେଳେ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଲା । ବିମାନ ବନ୍ଦର ନିକଟରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହିଁ ବୟାନ କରୁଥିଲା ବିଜୁବାବୁଙ୍କ ପ୍ରତି ଭଲପାଇବା । ଘରର ମୁରବି ଯେପରି ପରିବାରବର୍ଗଙ୍କୁ ଛାଡି ଚାଲିଯାଇଛି । ଲୋକଙ୍କ ଆଖିରୁ ବହୁଥିବା ଲୁହ ହିଁ ତାହା ବୟାନ କରୁଥିଲା ।ବିମାନବନ୍ଦର ରୁ ତାଙ୍କ ମରଶରୀର କୁ ଏକ ସ୍ୱତନ୍ତ୍ର ଟ୍ରକ ଯୋଗେ ନବୀନ ନିବାସ ଆଣିବା ବାଟରେ ଲକ୍ଷ ଲକ୍ଷ ଲୋକ ଭୋ ଭୋ କାନ୍ଦିବା ସହ ଶବଧାରରେ ପୁଷ୍ପ ବୃଷ୍ଟି କରୁଥିଲେ ।ବିମାନ ବନ୍ଦର ରୁ ନବୀନ ନିବାସ ହୋଇଯାଇଥିଲା ଜନସମୁଦ୍ର । ନବୀନ ନିବାସରେ କିଛି ସମୟ ରଖିବା ପରେ ସେଠାରୁ ତାଙ୍କୁ ଜନତା ଦଳ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଉ ବିଳମ୍ବ ନକରି ତାଙ୍କୁ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା ।

ଭୁବନେଶ୍ୱରରୁ ପୁରୀ ୬୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପାଖାପାଖି ୧୨ ଘଣ୍ଟା ସମୟ ଲାଗିଥିଲା । କାରଣ ରାସ୍ତା ସାରା ବିଜୁପ୍ରେମୀ ମାନେ ମହାପ୍ରୟାଣ ଗାଡିଟିକୁ ଅଟକାଇ ଶେଷ ଦର୍ଶନ କରିଥିଲେ । ବିଜୁ ବାବୁ ଅମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ତା ସହ ହରିବୋଲ , ହୁଳହୁଳି , ରାମଧୁନ ,ଗୀତା ପାଠ ଓ ସର୍ବ ଧର୍ମ ପ୍ରାର୍ଥନା କମ୍ପି ଉଠୁଥିଲା ରାସ୍ତାର ଦୁଇ ପାର୍ଶ୍ୱ । ସେହିଦିନ ପ୍ରକୃତରେ ବିଜୁ ବାବୁଙ୍କ ଶେଷ ଯାତ୍ରା ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । ଶେଷରେ ମରଶରୀର ପହଁଚିଥିଲା ସିଂହଦ୍ୱାର ସମ୍ମୁଖରେ । ମନ୍ଦିରର ବଡ଼ ପଣ୍ଡା ମାନେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଶାବାଧାର ଉପରେ ତୁଳସୀ ଚନ୍ଦନ ଦେବାସହ ପତିତପାବନ ବାନା ଆଚ୍ଛାଦିତ କରିଥିଲେ । ମନ୍ତ୍ରପାଠ ମଧ୍ୟରେ ବିଜୁ ବାବୁଙ୍କ ଶୋଭାଯାତ୍ରା ସ୍ୱର୍ଗଦ୍ୱାର ଅଭିମୁଖେ ଆଗେଇ ଚାଲିଥିଲା ।

ଏବେ ବି ଝୁରୁଛି ଓଡିଶା:
ସ୍ୱର୍ଗଦ୍ୱାର ରେ ପହଞ୍ଚିବା ପରେ ତାଙ୍କ ମର ଶରୀର କୁ ବଡ଼ ପୁଅ ପ୍ରେମ ପଟ୍ଟନାୟକ, ସାନ ପୁଅ ନବୀନ ପଟ୍ଟନାୟକ , ବିଜୁ ବାବୁଙ୍କ ଅତି ଘନିଷ୍ଠ ଅଶୋକ ଦାସ , ଦିଲ୍ଲୀପ ରାୟ , ବୈଜୟନ୍ତ ପଣ୍ଡା , ଅନଙ୍ଗ ଉଦୟ ସିଂଦେଓ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ମୃତଦେହକୁ କାନ୍ଧରେ ଶ୍ମଶାନ ନିକଟକୁ ନେଇଥିଲେ । ଦେଶର ପ୍ରାଧାନମନ୍ତ୍ରୀ ଦେବେ ଗୌଡା , ଅଟଳ ବିହାରୀ ବାଜପେୟୀ , ଚନ୍ଦ୍ରଶେଖର , ଲାଲକୃଷ୍ଣ ଆଡ଼ଭାନୀ , ରାମବିଳାସ ପାଶ୍ୱନ , ଲାଲୁ ଯାଦବ ଓ ହଜାର ହଜାର ମାନ୍ୟଗଣ୍ୟ ନେତା ତଥା ଉଚ୍ଚ ପଦସ୍ତ ଅଫିସର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାଷ୍ଟ୍ରନୀତିଜ୍ଞ ଙ୍କ ମରଶରୀର ରେ କେବଳ ଆମ ଦେଶର ଜାତୀୟ ପତାକା ନୁହେଁ , ବରଂ ଇଣ୍ଡୋନେସିଆ ଓ ରୁଷିଆ ର ଜାତୀୟ ପତାକା ଆଚ୍ଛାଦିତ କରାଯାଇଥିଲା । ଏଭଳି ଏକ ବିରଳ ଘଟଣା ସେହିଦିନ ହିଁ ଦେଖିବାକୁ ମିଳିଥିଲା । ଶେଷରେ ବଡ଼ପୁଅ ପ୍ରେମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।

ଚାହୁଁ ଚାହୁଁ ପଞ୍ଚଭୁତ ରେ ଲୀନ ହେଇଯାଇଥିଲେ ଏହି ଜନନାୟକ । ମହୋଦଧିର ଉତ୍ତାଳ ତରଙ୍ଗ ମାଳା ଯେପରି ବେଳାଭୂମି ଉପରେ ମୁଣ୍ଡପିଟି ସତେ ଯେପରି ଦୁଃଖରେ ଭାଙ୍ଗିପଡି କ୍ରନ୍ଦନ କରୁଥିଲା । ଇହ ଧାମ ଛାଡି ବିଜୁ ବାବୁ ଚାଲିଗଲେ ସିନା କିନ୍ତୁ କୋଟି ଜନତା ଙ୍କ ହୃଦୟରେ ସେ ଚିର ବିଜୟୀ ହୋଇ ରହିଗଲେ । ଇତିହାସ ପୃଷ୍ଠାରେ ତାଙ୍କ ନାମ ସ୍ଵର୍ଣ୍ଣଅକ୍ଷର ରେ ଲିପିବଦ୍ଧ ହୋଇ ରହିଗଲେ । ଓଡ଼ିଶାର ଏହି ପ୍ରବାଦ ପୁରୁଷ , ଜାତୀୟତାବାଦୀ ନେତା , ସ୍ବାଧୀନତା ସଂଗ୍ରାମୀ, ଦୁଃସାହସୀ ବରପୁତ୍ର ଙ୍କୁ ” କୋଟି କୋଟି ପ୍ରଣାମ

Leave a Reply

Your email address will not be published. Required fields are marked *