ଆସୁଛି ବଡ଼ ବିପଦ! ମହାକାଶରେ ସୂର୍ଯ୍ୟ ନେଉଛି ଭୟଙ୍କର ରୂପ, ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ଧରଣର ଝଡ଼

ସକଳ ଶକ୍ତିର ଆଧାର ହେଲେ ସୂର୍ଯ୍ୟ । କିନ୍ତୁ କେବେ ଭାବିଛନ୍ତି କି ଯଦି ସୂର୍ଯ୍ୟଙ୍କ ଠାରୁ ହିଁ କୌଣସି ଏକ ବଡ଼ ବିପଦର ଆଶଙ୍କା ରହିଥାଏ ତେବେ କ’ଣ ହେବ? ଏହି ପ୍ରଶ୍ନ ବର୍ତ୍ତମାନ ସମୟରେ ବୈଜ୍ଞାନିକମାନଙ୍କୁ ଅସୁବିଧାରେ ପକାଉଛି କାରଣ ସୂର୍ୟ୍ୟ ପୃଷ୍ଠରେ ଏକ ବଡ଼ ଛିଦ୍ର ଦୃଶ୍ୟମାନ ହେଉଛି । ଯଦିଓ ସମୟ ସମୟରେ ସୂର୍ୟ୍ୟରେ ଅସଂଖ୍ୟ ଗର୍ତ୍ତ ସୃଷ୍ଟି ହୋଇଥାଏ ।

କିନ୍ତୁ ଏହି ଥର ସୃଷ୍ଟି ହୋଇଥିବା ଗର୍ତ୍ତର ଆକାର ପୃଥିବୀର ଆକାରଠାରୁ ୬୦ ଗୁଣ ବଡ । ଏହି ଗର୍ତ୍ତରୁ ସୌର ବାୟୁ ସିଧାସଳଖ ପୃଥିବୀ ଆଡକୁ ପ୍ରବାହିତ ହେଉଛି । ବୈଜ୍ଞାନିକମାନଙ୍କ କହିବାନୁସାରେ, ଡିସେମ୍ବର ୨ ତାରିଖରେ ସୂର୍ୟ୍ୟଙ୍କର ଏକ ବିଶାଳ କଳା ଛିଦ୍ର ଭୂମଧ୍ୟ ରେଖା ପାଖରେ ଦେଖାଯାଇଥିଲା ତେବେ ଏହି ଛିଦ୍ରକୁ ବୈଜ୍ଞାନିକମାନେ କୋରୋନାଲ ହୋଲ ନାମରେ ନାମିତ କରିଛନ୍ତି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ଏହାର ସର୍ବାଧିକ ମୋଟେଇ ପ୍ରାୟ ୮୦୦,୦୦୦ କିଲୋମିଟରରେ ପହଞ୍ଚିଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଡିସେମ୍ବର ୪ ତାରିଖରୁ ସୂର୍ୟ୍ୟଙ୍କର ଏକ ବଡ଼ ଶୂନ୍ୟସ୍ଥାନ ସିଧାସଳଖ ପୃଥିବୀ ଆଡ଼କୁ ମୁହଁ କରିଛି। ଏହା ପୂର୍ବରୁ ବିଶେଷଜ୍ଞଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିଲା ଯେ ଏହି ସଦ୍ୟତମ ଛିଦ୍ର ମଧ୍ୟମ (ଏ୨) ଜିଓମ୍ୟାଗ୍ନେଟିକ ବା ଭୂଚୁମ୍ବକୀୟ ଝଡ଼ ସୃଷ୍ଟି କରିପାରେ, ଯାହା ରେଡିଓ ବ୍ଲାକଆଉଟର କାରଣ ହୋଇପାରେ ।

ଅନ୍ତରୀକ୍ଷ ପାଣିପାଗ ଅନୁଯାୟୀ, ସୌର ବାୟୁ ଆଶାଠାରୁ କମ ଥିଲା ଏବଂ ଏହି କାରଣରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଝଡ଼ ଦୁର୍ବଳ ରହିଛି। ସୂର୍ୟ୍ୟ ପୃଷ୍ଠରୁ ଏହି ଛିଦ୍ର ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହେବାକୁ କେତେ ସମୟ ଲାଗିବ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। NOAA ଅନୁଯାୟୀ, ପୂର୍ବ ରେକର୍ଡ ତୁଳନାରେ ସଦ୍ୟତମ କରୋନାଲ ଛିଦ୍ର ୨୭ ଦିନ ଅଧକ ରହିଛି । ତଥାପି, ଏହି ଛିଦ୍ର ଖୁବ୍ ଶୀଘ୍ର ପୃଥିବୀ ଦିଗରୁ ଅନ୍ୟ ଦିଗରେ ଘୂର୍ଣ୍ଣନ କରିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ତେବେ ସୂର୍ଯ୍ୟ ପୃଷ୍ଠରେ କାହିଁକି ହୋଇଥାଏ ଏହି କୋରୋନାଲ ହୋଲ ଆସନ୍ତୁ ଜାଣିବା । ସୂର୍ୟ୍ୟଙ୍କୁ ଧରିଥିବା ଚୁମ୍ବକୀୟ କ୍ଷେତ୍ର ହଠାତ ଖାଲି ହୋଇଗଲେ ସୂର୍ୟ୍ୟର ଉପର ପୃଷ୍ଠରେ ଥିବା ସାମଗ୍ରୀ ସୌର ବାୟୁ ଆକାରରେ ଉଡିଯାଏ । କରୋନାଲ ଛିଦ୍ରଗୁଡିକ ସୂର୍ୟ୍ୟଙ୍କ ଉପରେ କଳା ଦାଗ ପରି ଦେଖାଯାଏ । କାରଣ ସେଗୁଡ଼ିକର ଆଖପାଖରେ ଥିବା ପ୍ଲାଜମା ଅପେକ୍ଷା ଉକ୍ତ ଛିଦ୍ରଗୁଡ଼ିକ କମ ଘନ ଏବଂ ଥଣ୍ଡା । NOAA ଅନୁଯାୟୀ, କରୋନାଲ୍ ଛିଦ୍ରରୁ ବାହାରୁଥିବା ବିକିରଣ ସାଧାରଣ ସୌର ପବନଠାରୁ ଅଧିକ ଶକ୍ତିଶାଳୀ । ଏଗୁଡ଼ିକ ପ୍ରାୟତଃ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରେ, ଯାହାକୁ ଜିଓମ୍ୟାଗ୍ନେଟିକ ଝଡ କୁହାଯାଏ ।

Leave a Reply

Your email address will not be published. Required fields are marked *