ପ୍ରଶାନ୍ତ ମହାସାଗରର ୨୪ ହଜାର ଫୁଟ୍‌ ଉପରେ ଉଡ଼ିଗଲା ୯୫ଜଣ ବ୍ୟକ୍ତି ଥିବା ବିମାନର ଛାତ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରର ୨୪,୦୦୦ ଫୁଟ୍‌ ଉପରେ ଉଡୁଥିବା ‘ଆଲୋହା ଏୟାର୍‌ଲାଇନ୍‌ସ୍‌’ର ଏକ ଯାତ୍ରୀବାହୀ ବିମାନର ଛାତ ଉଡ଼ିଯିବା ଏବଂ ଛାତ ନ ଥାଇ ଯାତ୍ରୀମାନଙ୍କୁ ନିରାପଦରେ ଅବତରଣ କରାଇବା ଘଟଣାକୁ ବିମାନ ଉଡ଼ାଣ ଇତିହାସରେ ବିସ୍ମୟ ବୋଲି ‘ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ଘଟଣାଟି ୧୯୮୮ ମସିହା ଏପ୍ରିଲ୍‌ ୨୮ ତାରିଖ ଦିନ ଘଟିଥିଲା। ୨ଟି ଇଞ୍ଜିନ ଲାଗିଥିବା ୧୧୦-ସିଟ୍‌ବିଶିଷ୍ଟ ବୋଇଙ୍ଗ୍‌ ୭୩୭-୨୦୦ ଏହି ଆମେରିକୀୟ ଜେଟ୍‌ ବିମାନଟି ୪୦ ମିନିଟ୍‌ ଉଡ଼ାଣ ସମୟରେ ଅଧାଅଧି ହୋଇଥିବା ବେଳେ ହଠାତ୍‌ ‘କ୍ୟାବିନ୍‌ ପ୍ରେସର୍‌’ ହରାଇଲା। ଫଳରେ ଉକ୍ତ ବିମାନର ‘ସିଲିଙ୍ଗ୍‌’ ବା ଛାତର କିଛି ଅଂଶ ଓ ‘ବଡି’ର କିଛି ଅଂଶ ଭାଙ୍ଗି ଉଡ଼ିଗଲା। ସେତେବେଳେ ବିମାନରେ ଥିଲେ ୮୯ଜଣ ଯାତ୍ରୀ ଓ ୬ଜଣ କର୍ମଚାରୀ। ୨୪,୦୦୦ ଫୁଟ୍‌ ଉଚ୍ଚ ଆକାଶରେ ବହୁଥିବା ପ୍ରବଳ ବତାସରେ କ୍ଲେରାବେଲ୍ଲା ଲାନ୍‌ସିଙ୍ଗ୍‌ ନାମ୍ନୀ ଜଣେ ବିମାନ ପରିଚାରିକା ବିମାନରୁ ଟାଣି ହୋଇ ଉଡ଼ିଯିବାରୁ ବାକି କର୍ମଚାରୀମାନେ ଆତଙ୍କରେ ଚିତ୍କାର କଲେ। ମନେହେଲା, ଅବତଣ କରିବା ଆଗରୁ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ। ଯୋଗକୁ ସେତେବେ‌ଳେ ବିମାନର ସମସ୍ତ ଯାତ୍ରୀ ସିଟ୍‌ରେ ବସି ବେଲ୍‌ଟ୍‌ ବାନ୍ଧିଥିଲେ। ଏଭଳି ଆତଙ୍କମୟ ଅବସ୍ଥାରେ ପାଇଲଟ୍‌ କୌଣସି ମତେ ଭଙ୍ଗା ବିମାନର ଦିଗ ପରିବର୍ତ୍ତନ କରି ଇଞ୍ଜିନ ଜଳୁଥିବା ଅବସ୍ଥାରେ କାହୁଲୁଇ ବିମାନ ବନ୍ଦରରେ ତାହାକୁ ଅବତରଣ କରାଇଲେ। ସେତେବେଳକୁ ବିମାନ ଛାତ ଉଡ଼ିଯିବାର ୧୩ ମିନିଟ୍‌ ଅତିବାହିତ ହୋଇଯାଇଥିଲା ବୋଲି ‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିଛି। ଭଙ୍ଗା ବିମାନ ଅବତରଣ କରିବା ଦେଖି ତଳେ ଥିବା ଜରୁରୀକାଳୀନ କର୍ମଚାରୀମାନେ ବି ବିସ୍ମିତ ହୋଇଯାଇଥିଲେ। ବିମାନରେ ଥିବା ସମୁଦାୟ ୯୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିମାନ ପରିଚାରିକା ବା ଏୟାର୍‌ ହୋସ୍‌ଟେସ୍‌ଙ୍କର ମୃତ୍ୟୁ ଘଟିଥିଲା ଓ ଆଉ ୮ଜଣ ସାଙ୍ଘାତିକ ଆହତ ହୋଇଥିଲେ। କ୍ଲେରାବେଲ୍ଲା ଲାନ୍‌ସିଙ୍ଗ୍‌ ନାମ୍ନି ସେ ଏୟାର୍‌ ହୋସ୍‌ଟେସ୍‌ଙ୍କର ଶବ ମଧ୍ୟ ମିଳିଲା ନାହିଁ।

Leave a Reply

Your email address will not be published. Required fields are marked *