ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌: ପଞ୍ଚମ ଥର ସେମିରୁ ବିଦା ହେଲା ଦକ୍ଷିଣ ଆଫ୍ରିକା |

ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌17/11/2023; ବିଶ୍ବକପ୍‌ ଟ୍ରଫି ପାଇଁ ରବିବାର ଶେଷ ମହାମୁକାବିଲାରେ ଭାରତ ସହିତ ଲଢେଇ କରିବ ୫ ଥର ବିଜେତା ଅଷ୍ଟ୍ରେଲିଆ। ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବୁଧବାର ନ୍ୟୁଜିଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ଗୁରୁବାର କୋଲକାତାର ଲୋ’ ସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍‌ରେ ‌ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକାର ଫାଇନାଲ୍‌ ଖେଳିବା ଆଶା ପୁଣି ଥରେ ଆଶାରେ ରହିଯାଇଛି। ଏହି ଆଫ୍ରିକୀୟ ‌ଦଳ ପଞ୍ଚମ ଥର ପାଇଁ ସେମିଫାଇନାଲ୍‌ରୁ ବିଦାୟ ନେଇଛି। ପୂର୍ବରୁ ୧୯୯୨, ୧୯୯୯, ୨୦୦୭ ଓ ୨୦୧୫ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ରୁ ବିଦାୟ ନେଇଥିଲା। ଫଳରେ ଦଳ ରଖିଥିବା ‘ଚୋକର୍‌’ ଦାଗକୁ ଲିଭାଇବାରେ ପୁଣି ବିଫଳ ହୋଇଛି। ୨୧୩ ରନ୍‌ର ଲକ୍ଷ୍ୟ ଯଦିଓ ଦେଖିବାକୁ ସହଜ ଲାଗୁଥିଲା, କିନ୍ତୁ ଏହି ଲକ୍ଷ୍ୟ ହାସଲ କରିବାକୁ ଅଷ୍ଟ୍ରେଲିଆକୁ ମଧ୍ୟ ବହୁତ ବାଧା‌ ଦେଇ ଗତି କରିବାକୁ ପଡ଼ିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର ଓ ଟ୍ରାଭିସ୍ ହେଡ୍‌ ଆରମ୍ଭରୁ ଦ୍ରୁତ ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ, କିନ୍ତୁ ଏମାନଙ୍କ ପରେ ମଧ୍ୟକ୍ରମ ଦକ୍ଷିଣ ଆଫ୍ରିକୀୟ ସ୍ପିନରଙ୍କ ଆଗରେ ହଡ଼ ବଡ଼େଇ ଯାଇଥିଲା। ଜୋସ ଇଙ୍ଗଲିସ, ମିଚେଲ ଷ୍ଟାର୍କ ଓ ପାଟ୍‌ କମିନ୍ସ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଦଳକୁ ବିଜୟ ଆଡ଼କୁ ନେଇଥିଲେ। ୱାର୍ଣ୍ଣର ଓ ହେଡ୍‌ ୧୦ ରନ୍‌ ହାରରେ ରନ୍‌ ସଂଗ୍ରହ କରି ମାର୍କୋ ୟାନସେନ ଓ କାଗିସୋ ରବାଡ଼ାଙ୍କୁ ଧୂଲେଇ କରିଥିଲେ। କିନ୍ତୁ ସପ୍ତମ ଓଭରରେ ବୋଲିଂ ଆସିଥିବା ଐଦେନ ମାରକ୍ରମ ପ୍ରଥମ ବଲ୍‌ରେ ୱାର୍ଣ୍ଣରଙ୍କୁ ବୋଲ୍ଡ କରିବାରୁ ଯୋଡ଼ି ଭାଙ୍ଗିଥିଲା। ଆଉଟ୍ ହେବା ପୂର୍ବରୁ ୱାର୍ଣ୍ଣର ୪ ଛକା ଓ ୧ଚୌକା ସହାୟତାରେ ୧୮ ବଲ୍‌ରୁ ଦ୍ରୁତ ୨୯ ରନ୍‌ କରିଥିଲେ। ପଛକୁ ପଛ ମିଚେଲ ମାର୍ସ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ। ହେଡ୍‌ଙ୍କ ସହ ଷ୍ଟିଭେନ ସ୍ମିଥ୍‌ ତୃତୀୟ ୱିକେଟ୍‌ରେ ୪୫ ରନ୍‌ର ଭାଗୀଦାରି କରି ଦଳକୁ ଶତକ ଅତିକ୍ରମ କରାଇଥିଲେ। ଅର୍ଦ୍ଧଶତକ କରିବା ପରେ ହେଡ୍‌ (୬୨) ଭଲ ଖେଳୁଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସ୍ପିନ ଜାଲରେ ଜଣକ ପରେ ଜଣେ ଫସିଯାଇଥିଲେ। ହେଡ୍‌ଙ୍କୁ କେଶବ ମହାରାଜ ଆଉଟ୍‌ କରିବା ପରେ ମାର୍ନସ ଲବୁସାନ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କୁ ତାବ୍ରେଜ ସାମ୍‌ସି ପ୍ୟାଭିଲିୟନ ଫେରାଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇନାଲ୍‌ ଖେଳିବା ଆଶା ଦେଇଥିଲେ। ରକ୍ଷଣାତ୍ମକ ଖେଳି ଆ‌ଗକୁ ବଢୁଥିବା ସ୍ମିଥ୍‌ ଓ ‌ଇଙ୍ଗଲିସ୍‌ଙ୍କୁ ଗେରାଲ୍ଡ କୋଏଟ୍‌ଜି ଆଉଟ୍‌ କରିବାରୁ ରୋମାଞ୍ଚ ବଢ଼ିଥିଲା। କିନ୍ତୁ ଷ୍ଟାର୍କ (୧୬*) ଓ କମିନ୍ସ (୧୪*)ଙ୍କ ଅବିଭାଜିତ ଯୋଡ଼ି ଅଷ୍ଟ୍ରେଲିଆକୁ ଆଉ କ୍ଷତିରେ ନପକାଇ ୧୬ ବଲ୍‌ ପୂର୍ବରୁ ଦଳକୁ ଜିତାଇଥିଲେ। ଟ୍ରାଭିସ୍ ହେଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଇଡେନ୍ ଗାର୍ଡେନ୍ସର ମେଘୁଆ ଆକାଶ କାରଣରୁ ସଂଘର୍ଷ କରିଥିବା ଦକ୍ଷିଣ ଆଫ୍ରିକା ଡେଭିଡ୍ ମିଲରଙ୍କ ଶତକ ବଳରେ ୨୧୨ ରନ୍‌ କରି କେବଳ ସମ୍ମାନ ରଖିଥିଲା।

 

Leave a Reply

Your email address will not be published. Required fields are marked *