ପ୍ରେମ ପରେ ପ୍ରତାରଣା ଏବଂ ପ୍ରତାରଣାରେ ପ୍ରତିଶୋଧ

• ପ୍ରେମରୁ ଆରମ୍ଭ,ଗୁଳି କାଣ୍ଡରେ ଶେଷ

• ପ୍ରେମ ପତାରଣା କରି ଆଦିବାସୀ ଯୁବତୀଙ୍କୁ ଗୁଳି କଲା ବିବାହିତ ଯୁବକ

• ଗୁଳିକରି ୫ ଦିନ ଧରି ଯୁବତୀଙ୍କୁ ଲୁଚାଇରଖିଥିଲେ ଯୁବକ

• ପ୍ରେମିକ ସମେତ ଅନ୍ୟ ଯୁବକ ଓ ମହିଳା ଗିରଫ

• ବନ୍ଧୁକ,୩ ଅଫୁଟା ଗୁଳି,୪ ମୋବାଇଲ ଜବତ

ଫୋକସ ପ୍ଲସ 15/3/23(ବ୍ୟୁରୋ): ପ୍ରଥମେ ପ୍ରେମ,ପରେ ପ୍ରତାରଣା ଏବଂ ପ୍ରତାରଣାରେ ପ୍ରତିଶୋଧ ହୋଇ ଜଣେ ଆଦିବାସୀ ଯୁବତୀଙ୍କୁ ଗୁଳି କରିଛନ୍ତି ଯୁବ ପ୍ରେମିକ।ଏହିପରି ଏକ ଅଭାବନୀୟ ଘଟଣା ବିଶୋଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଓ ବନ୍ଧୁକ ଯୋଗାଇଥିବା ସଂପୃକ୍ତ ଅନ୍ୟ ଜଣେ ଯୁବକ ସମେତ ଯୁବତୀଙ୍କୁ ଲୁଚାଇବାରେ ସହଯୋଗ କରିଥିବା ମହିଳାଙ୍କୁ ଗିରଫ କରିଛି ବିଶୋଇ ପୋଲିସ।ଗିରଫ ପ୍ରେମିକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ଅଁଳାଡୁବା ଗ୍ରାମର ସୂରଜ ପଣ୍ଡାଙ୍କୁ ପୁଅ ଅର୍ଜୁନ(୨୯) ଓ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଯୁବକ କବାଲି ଥାନାର ହଳଦୀପୋଖରୀ ଅଞ୍ଚଳର ଏସ.କେ ନାକିମ ଖାନ(୩୨) ଓ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା।ସୂଚନାଥାଉକି,ଦୀର୍ଘ ୩ ବର୍ଷ ଧରି ବିଶୋଇ ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଅଁଳାଡୁବା ଗ୍ରାମର ଅର୍ଜୁନଙ୍କ ନିବିଡ଼ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ତେବେ,ଗତ ୧ ବର୍ଷ ପୂର୍ବରୁ ଉକ୍ତ ଯୁବକ ଜଣଙ୍କ ଆଦିବାସୀ ଯୁବତୀଙ୍କୁ ପ୍ରତାରଣା କରି  ବିବାହ କରିଥିଲେ।ବିବାହ ପରେ ମଧ୍ୟ ଅର୍ଜୁନ ଉକ୍ତ ନାବାଳିକା ସହିତ ସଂପର୍କ ସ୍ଥାପନ କରିବା ପାଇଁ ଯୁବତୀ ଜଣଙ୍କୁ ବାଧ୍ୟ କରିଥିଲେ ସୁଦ୍ଧା ଯୁବକ ବିବାହ କରିଥିବା ଜାଣି ଯୁବତୀ ଜଣଙ୍କ ପ୍ରେମ ପାଇଁ ସହମତ ହୋଇନଥିଲେ।ତେବେ,ଏହାର ପ୍ରତିଶୋଧ ନେବା ପାଇଁ ଯୁବକ ଜଣଙ୍କ କୌଶଳ କ୍ରମେ ଗତ ଗୁରୁବାର ଦିନ ଉକ୍ତ ଯୁବତୀ ଜଣଙ୍କୁ ଏକ ମେକ୍ସିମ ଭ୍ୟାନ ଯୋଗେ ବିଶୋଇରୁ ଅପହରଣ କରି ନେଇ ରାଇରଙ୍ଗପୁର ସ୍ଥିତ ଏକ ନଦୀ କୁଳକୁ ନେଇ ଯାଇଥିଲେ।ସେଠାରେ ଯୁବତୀ ଓ ପ୍ରେମିକ ମଧ୍ୟରେ ଗାଡି ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବଚସା ହେବାରୁ ଅର୍ଜୁନ ଯୁବତୀ ଜଣକ ଜଙ୍ଘରେ ଗୁଳି କରିଥିଲେ।ଘଟଣାଟି ଲୋକଲଚନକୁ ଆସିବା ଭୟରେ ଅର୍ଜୁନ ଉକ୍ତ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ବଡ଼ଝରଣ ସ୍ଥିତ କାଳିକାଗ୍ରାମରେ ଥିବା ଏକ ଘରେ ଲୁଚାଇ ରଖିଥିଲେ।ପରେ ଅର୍ଜୁନ ଶୁକ୍ରବାର ଦିନ ଉକ୍ତ ଯୁବତୀଙ୍କୁ ବିଶୋଇ ଥାନା ଅଞ୍ଚଳକୁ ଆଣି ଏକ ଭଡାଟିଆ ଘରେ ଲୁଚାଇ ରଖିଥିଲେ।୩ ଦିନ ଧରି ଉକ୍ତ ଯୁବତୀ ଭଡାଟିଆ ଘରେ କ୍ଷତାକ୍ତ ଅବସ୍ଥାରେ ରଖିଥିବା ବେଳେ ସୋମବାର ସନ୍ଧ୍ୟା ସମୟରେ କୌଶଳ କ୍ରମେ ଉକ୍ତ ଯୁବତୀ ଜଣଙ୍କ ମୋବାଇଲ ଫୋନ ଯୋଗେ ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ।ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ତେବେ,ଯୁବତୀ ଜଣକ ପରିବାର ଲୋକଙ୍କ ନିକଟରେ ଖବର ପହଁଚିବା ଜାଣି ଯୁବତୀ ଜଣଙ୍କ ଲୁଚିଥିବା ଉକ୍ତ ଭଡାଟିଆ ଘରର ମହିଳା ଅର୍ଜୁନଙ୍କୁ ଖବର ଦେଇଥିଲେ।ପୋଲିସ ଆସିବା କଥା ଜାଣି ଅର୍ଜୁନ ଏକ ସ୍କୁଟି ସାହାଯ୍ୟରେ ଉକ୍ତ ଯୁବତୀଙ୍କୁ ନେଇ ଖସି ପଳାଉଥିଲେ।କୌଣସି ବିଶେଷ ସୂତ୍ରରୁ ଖବର ପାଇ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇଙ୍କ ନେତୃତ୍ୱରେ ପୋଲିସ ଟିମ ଉକ୍ତ ଯୁବକଙ୍କୁ ପିଛା କରିଥିଲେ।ପୋଲିସ ହାତରେ ଧରା ପଡିବା ଭୟରେ ଯୁବକ ଜଣଙ୍କ ରାଇରଙ୍ଗପୁର ନିକଟସ୍ଥ ଭୋରଣ୍ଡିଆ ସ୍ଥିତ ରାସ୍ତା କଡରେ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲେ।ପିଛା କରୁଥିବା ବିଶୋଇ ପୋଲିସ ଯୁବତୀ ଜଣଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରିବା ସହିତ ଅର୍ଜୁନଙ୍କୁ ପିଛା କରି ବିଳମ୍ବିତ ରାତ୍ରିରେ ଘରେ ଲୁଚିଥିବା ଅବସ୍ଥାରେ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ।ଉଦ୍ଧାରିତ ଯୁବତୀଙ୍କୁ ବାରିପଦା ପିଆରଏମ୍ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଯୁବକଙ୍କୁ ଗିରଫ କରି ବିଶୋଇ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ।ଅର୍ଜୁନଙ୍କୁ ବନ୍ଧୁକ ବିକିଥିବା ଯୁବକ ଏସ.କେ ନାକିମଙ୍କୁ ଗୋରୁମହିଷାଣି ଅଞ୍ଚଳରୁ ଗିରଫ କରିବା ସହିତ ଯୁବତୀଙ୍କୁ ଲୁଚାଇ ରଖିବାରେ ସହଯୋଗ କରୁଥିବା ବିଶୋଇ ଅଞ୍ଚଳର ଭଡାଟିଆ ଘରର ମହିଳାଙ୍କୁ ମଧ୍ୟ ଆଜି ପୋଲିସ ଦ୍ଵାରା ଗିରଫ କରାଯାଇଛି।ଆଜି ସାଇଣ୍ଟିଫିକ ଟିମ ସହାୟତାରେ ବିଶୋଇ ପୋଲିସ ତଦନ୍ତ କରି ଘଟଣାରେ ବ୍ୟବହୃତ ଏକ ମେକ୍ସିମ ଭ୍ୟାନ (ଓଡ଼ି ୧୧ ଏ ୫୦୩୬),ସ୍କୁଟି (ଓଡ଼ି ୧୧ ଏ ୯୫୪୨),ଏକ ପଲସର ବାଇକ (ଜେ.ଏଚ ୦୫ ଏବି ୩୧୮୬)କୁ ଜବତ କରିବା ସହିତ ଏକ ବନ୍ଧୁକ,ଗୁଳି କାଣ୍ଡରେ ବ୍ୟବହୃତ  ଖୋକା,୩ ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ କରିଛି ବିଶୋଇ ପୋଲିସ।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୫୬/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି। ଘଟଣାଟି ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ରହିଥିବାବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ରାଇରଙ୍ଗପୁର ଏସଡିପିଓ ଗକୁଳାନନ୍ଦ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *