ଫୋକସ ପ୍ଲସ 16/12/2022(ମାଲକାନଗିରି): ଶୁଦ୍ଧ ପାନୀୟଜଳ ଘରେ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନା କରୁଛନ୍ତି। ସେଥିପାଇଁ ସରକାରଙ୍କ ରାଜ କୋଷରୁ କୋଟି କୋଟି ଅର୍ଥ ବ୍ୟୟ କରି ୫୦ ହଜାର ଲିଟର ଟାଙ୍କି ନିର୍ମାଣ କରି ଗାଁ ଗାଁ ରେ ପାଇପ ବିଛା ଯାଇ ସାହି ସାହିରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣ ହୋଇଥିବା ଟାଙ୍କି କିନ୍ତୁ ଲୋକଙ୍କ କାମରେ ଆସୁ ନାହିଁ। ଯାହା ଫଳରେ ଲୋକେ ଚୁଆ,ପୋଖରୀ,ନଦୀ ଓ ଝରଣା ପାଣିରେ ଶୋଷ ମେଣ୍ଟାଉଛନ୍ତି।ଯେପରି କି “ସରକାର କା ମାଲ ଦରିଆ ମେ ଡାଲ” ପରି ସଦୃଶ ଲାଗୁଛି।ସରକାରୀ କର୍ମଚାରୀଙ୍କ ଉଦାସୀନତା ପାଇଁ ମୁନ୍ଦିଏ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ସାଧାରଣ ନିରୀହ ଲୋକେ। ଏପରି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜାଣି ହେଉଛି ଯେ ସରକାରଙ୍କ ପାନୀୟଜଳ ଯୋଜନା ଗୁଡିକ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି।ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପରକନମାଲା ପଞ୍ଚାୟତର ସୁନା ନଗର ଗ୍ରାମରେ। ଗାଁରେ ୧୦୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି। ଗାଁରେ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗତ ୨୦୧୩ ମସିହାରେ ବ୍ଲକ ପ୍ରଶାସନ ତରଫରୁ ଏକ ପଚାଶ ହଜାର ଲିଟର ଓଭର ଟ୍ୟାଙ୍କ ନିର୍ମାଣ କରି ଅଞ୍ଚଳ ବାସୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଅର୍ଥ ବ୍ୟୟ କରାଯାଇଛି। କିନ୍ତୁ ନିର୍ମାଣ ହୋଇଥିବା ପାନୀୟଜଳ ଓଭର ଟ୍ୟାଙ୍କରୁ ଆଜି ପର୍ଯ୍ୟନ୍ତ ମୁନ୍ଦିଏ ଶୁଦ୍ଧ ପାନୀୟଜଳ ପାଇ ନାହାଁନ୍ତି ବୋଲି ଗ୍ରାମର ମହିଳା ଓ ପୁରୁଷ ମାନେ ଗୁରୁତର ଅଭିଯୋଗ କରିଛନ୍ତି । ଫଳରେ ଗାଁର ଲୋକେ ଜୀବନ ବଞ୍ଚେଇବା ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ଏହି ଅଞ୍ଚଳରେ କୌଣସି ଝରଣା ଓ ନଦୀ ନଥିବାରୁ ପୋଖରୀ ଉପରେ ବର୍ଷ ବର୍ଷ ଧରି ଉପରେ ନିର୍ଭର କରି ଆସୁଛନ୍ତି ଗାଁ ଲୋକେ।ଗାଁ ପୋଖରୀରେ ବର୍ଷ ତମାମ ତଥା ବର୍ଷା ଦିନେ ପାଣି ଗୋଳିଆ ହୋଇଯାଇ ଥାଏ ତଥାପି ଗାଁ ଲୋକେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ସେହି ପାଣିକୁ ପାନୀୟଜଳ ଭାବେ ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଗାଁର ଲୋକମାନେ ଯେଉଁ ପୋଖରୀ ପାଣିକୁ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ଭାବେ ବ୍ୟବହାର କରିନ୍ତି ସେହି ପୋଖରୀରେ ଗାଧେଇବା,ଲୁଗାପଟା ସଫା କରିବା ଠାରୁ ଆରମ୍ଭ କରି ଗୃହ ପାଳିତ ପଶୁ ମଧ୍ୟ ସେହି ପୋଖରୀରେ ନିଜର ଶୋଷ ମେଣ୍ଟାନ୍ତି। ପୋଖରୀ ପାଣି ବ୍ୟବହାର କାରଣରୁ ଚର୍ମ ରୋଗ ଠାରୁ ଆରମ୍ଭ କରି ଅନେକ ରୋଗର ଶିକାର ହେଉଥିବା ଗାଁ ଲୋକେ କହିଛନ୍ତି। ପାନୀୟଜଳ ଅନ୍ୟ ବିକଳ୍ପ ନଥିବାରୁ ଗାଁ ଲୋକେ ପର୍ବପର୍ବାଣୀ ହେଉ ବା ଭୋଜି,ଭାତ ହେଉ କିମ୍ବା ଗାଁରେ ବନ୍ଧୁବାନ୍ଧବ ଆସିଲେ ଅନ୍ୟ ଉପାୟ ନାହିଁ ସେହି ଏକ ମାତ୍ର ପୋଖରୀ ପାଣି ହିଁ ସାହା ଭରଷା। ଗୋବିନ୍ଦପାଲ୍ଲୀ ଠାରୁ ବାଲିମେଳା ରାଜ୍ୟ ରାଜପଥ ୪୭ ନମ୍ବର ରାଜପଥ କଡର ଗାଁ ସୁନା ନଗର ଗାଁରେ ଯଦି ପାନୀୟ ଜଳ ସଙ୍କଟ ଦୂର କରି ପାରୁ ନାହାଁନ୍ତି ବ୍ଲକ ତଥା ଜିଲ୍ଲା ପ୍ରଶାସନ।ତାହେଲେ ଦୁର୍ଗମ ଅଞ୍ଚଳରେ କିପରି ପହଂଚୁଥିବ ରାଜ୍ୟ ସରକାରଙ୍କ ଯୋଜନା ତାହା ସାଧାରଣରେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେଇଛି। ଲୋକେ ପାଣି ହାଣ୍ଡି ଧରି ବୃଦ୍ଧା ଓ ଗର୍ଭବତୀ ମହିଳାମାନେ ବେଳେ ଅନେକ ସମୟରେ ପାଣି ହାଣ୍ଡି ସହିତ ପଡି ଜିବା ସହ ଘଟଣା ଦୁର୍ଘଟଣା ଘଟିଥିବା ବୋଲି କହନ୍ତି ଗାଁର ମହିଳାମାନେ । ମୁନ୍ଦିଏ ପାଣି ପାଇଁ ଗର୍ଭବତୀ ମହିଳାମାନେ ମଧ୍ୟ ମୁଣ୍ଡରେ ପାଣିହାଣ୍ଡି ଧରି ଘାଟି ଚଢି ପାର ହେଉଥିବା ମଧ୍ୟ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ଏହି ଗାଁରେ। କେତେ ବେଳେ ଅଘଟଣା ଘଟି ପାରେ କହିବା ମୁସ୍କିଲ। ବର୍ଷ ବର୍ଷ ଧରି ପରିସ୍ଥିତିରେ ସୁନା ନଗର ଗ୍ରାମବାସୀର ଲୋକେ ଏପରି ପରିସ୍ଥିତିରେ ନିଜର ଜୀବନ ବଞ୍ଚେଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି କିନ୍ତୁ ସ୍ୱାଧୀନତାର ସାତ ଦସନ୍ଦି ବିତି ଯାଇଛି ଯେଉଁଠି ସରକାର ଦେଶରେ ଡିଜିଟାଲ ସେବା ଯୋଗାଇ ଦିଆଯାଇଛି। କିନ୍ତୁ ଆମ ରାଜ୍ୟ ତଥା ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ପାନୀୟଜଳ ପରି ମୌଳିକ ସୁବିଧା ପହଞ୍ଚେଇ ପାରିଲେ ନାହିଁ। ଆଜିବି ବର୍ଷା ଦିନରେ ପୋଖରୁ ପାଣି ଦୂଷିତ ହେଲେ ମଧ୍ୟ କୌଣସି ବିକଳ୍ପ ନାହି । ଦୂଷିତ ପାଣି ପିଉଥିବା ହେତୁ ଅନେକ ସମୟରେ ନାନା ପ୍ରକାର ରୋଗରେ ଶିକାର ମଧ୍ୟ ହେଉଛନ୍ତି ଗାଁ ଲୋକେ। କିନ୍ତୁ ଏଥିପ୍ରତି କେନ୍ଦ୍ର ସରକାର କି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ନାହିଁ। ଯାହା ଫଳରେ ଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ପରକନମାଲା ପଂଚାୟତର ସୁନା ନଗର ଗ୍ରାମର ଶତାଧିକ ଲୋକେ। ଏଠି ପ୍ରଶ୍ନ ଉଠୁଛି ସରକାରୀ ବ୍ୟବସ୍ଥା ଉପରେ ଓ ବିଭାଗୀୟ ଅଧିକାରୀ ଙ୍କ ଉପରେ ପ୍ରତେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବା ଡିଣ୍ଡରା ପିଟୁଛନ୍ତି । ଗାଁ ଗାଁରେ ବସୁଧ ଯୋଜନାର ବୋର୍ଡ ମରାଯାଇଛି । କିନ୍ତୁ ମୁନ୍ଦିଏ ବିଶୁଦ୍ଧ ପାନୀୟଜଳ ପାଇଁ ଦୁର୍ଗମ ଅଞ୍ଚଳବାସି ଡହଳ ବିକଳ ହେଉଛନ୍ତି।ଏହି ଆଦିବାସୀ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଗାଁରେ ତୁରନ୍ତ ଶୁଦ୍ଧ ପାନୀୟଜଳ ର ବ୍ୟବସ୍ଥା କରାଯିବ ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ନେଲୁର କହିଛନ୍ତି।ଆଗାମୀ ଦିନରେ ଯଦି ଗାଁରେ ଶୁଦ୍ଧ ପାନୀୟଜଳ ର ବ୍ୟବସ୍ଥା ପ୍ରଶାସନ ତରଫରୁ କରା ନଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି କଡା ଚେତାବନୀ ଦେଇଛନ୍ତି ଗାଁ ଲୋକେ।
