ଫୋକସ ପ୍ଲସ(ମାଲକାନଗିରି)୨୫/୦୮/୨୦୨୨: ପାଣି ନଥିବାରୁ ହୋଇ ପାରିଲାନାହିଁ ରୋଗୀଙ୍କ ଡାଏଲିସିସ । କିଛି ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ସୂଚନା ଅନୁଯାୟୀ ଗତକିଛିଦିନ ଧରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଜଳାଭାବ ଦେଖାଦେଇଛି । ଫଳରେ ରୋଗିସେବା ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତି ଉପୁଜିଛିକି ଡାଏଲିସିସ ପାଇଁ ଆସୁଥିବା ରୋଗୀଙ୍କୁ ସେବା ଯୋଗାଇବା ବଦଳରେ ଘରକୁ ଫେରାଇ ଦେଇଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ସୂଚନା ଅନୁଯାୟୀ ଏହି ଡାଏଲିସିସ ପାଇଁ ପ୍ରଚୁର ଜଳର ଅବଶ୍ୟକତା ହୋଇଥାଏ । କିନ୍ତୁ ଗତ କିଛିଦିନ ଧରି ଚିକିତ୍ସାଳୟରେ ଜଳାଭାବ ଯୋଗୁଁ ଏହି ସେବା ରୋଗୀଙ୍କୁ ମିଳି ପାରୁନାହି । ଫଳରେ କିଡିନି ରୋଗୀ ଡାଏଲିସିସ କରି ନ ପାରି ନାନା ସମସ୍ୟାର ସାମ୍ନା କରୁଛନ୍ତି । ଜଳାଭାବ ଯୋଗୁଁ ଜଣେକି ଦୁଇ ଜଣ ନହେଁ ଏକା ସାଙ୍ଗରେ ୮ଜଣ କିଡନୀ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରକୁ ପଠାଇ ଦିଆଯାଇଛି । ଏନେଇ ହସ୍ପିଟାଲ ଡାଏଲିସିସ ସେଣ୍ଟର ମ୍ୟାନେଜର ଆଶୁତୋଷ ସାହୁଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି । କିଛି ଦିନ ହେବ କନଷ୍ଟ୍ରକସନ କାମ ଚାଲିଥିବାରୁ ପାଣି ପାଇପ ଲାଇନ ଫାଟି ଯାଇଛି, ଫଳରେ ଜୁରୁରୀ ମୁତାବକ ପାଣି ମିଳିପାରୁନି, ଏହି କାରଣ ଯୋଗୁଁ ରୋଗୀଙ୍କ ଡାଏଲିସିସ ହୋଇପାରୁନାହିଁ । ଚିକିତ୍ସା ହୋଇପାରୁନଥିବାରୁ ସେ ହସ୍ପିଟାଲ ମ୍ୟାନେଜର, ହସ୍ପିଟାଲ ଏଡିଏମଓ ଓ ସିଡିଏମଓଙ୍କୁ ଜଣାଇଥିବା କହିଛନ୍ତି ଡାଏଲିସିସ ସେଣ୍ଟର ମ୍ୟାନେଜର ।
