ଆପ୍ ର ବିଦ୍ୟୁତ୍ ରାଜନୀତି

ଫୋକସ ପ୍ଲସ (ବ୍ୟୁରୋ)୩୦/୦୬/୨୦୨୨: ଆମ୍ ଆଦମୀ ପାର୍ଟି (ଆପ୍), ଓଡିଶା ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ଼ ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି l ପ୍ରତି ଜିଲ୍ଲାରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି l ପାର୍ଟି ଲକ୍ଷ୍ଯ ରଖିଛି ୨୫ ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ଏବଂ ଦାବି ସପକ୍ଷରେ ଥିବା ଜନମତକୁ ଉପସ୍ଥାପନ କରିବ l
ରାଜ୍ୟ ସରକାର ଏ ଦାବିକୁ ମାନିବେ କି ନାହିଁ ତାହା ସମୟ ହିଁ ବତାଇବ l ତେବେ ଏହାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି l କେତେକେ ଫ୍ରି ବା ଦେୟମୁକ୍ତ ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି l ଏହାର ଯୁକ୍ତିଯୁକ୍ତତାକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି l ଉତ୍ତରରେ ଆପ୍ କର୍ମୀମାନେ କହୁଛନ୍ତି ଦେଶରେ ଫ୍ରି ରାଜନୀତି କେବଳ ଆପ୍ କରିଛି ଓ ଆଗରୁ ଏହା ନଥିଲା ଏପରି କହିବା ଠିକ୍ ନୁହେଁ l ବିଭିନ୍ନ ପ୍ରକାର ପ୍ରୋଲଭନ ଦେଇ ଓ ଦେଖାଇ ଭୋଟରମାନକୁ ନିଜ ପକ୍ଷକୁ ଆଣିବା ରାଜନୈତିକ ଦଳମାନଙ୍କର ପୁରୁଣା ଚାଲ l ଟଙ୍କାକିଆ ଚାଉଳ, ରିହାତି ମୂଲ୍ଯରେ ସାମଗ୍ରୀ ଯୋଗାଣ, ଫ୍ରିରେ ଛତା-ଜୁତା, ଫ୍ରିରେ ସ୍କୁଟି-ଲାଫଟପ୍, ଫ୍ରିରେ ମଙ୍ଗଳସୂତ୍ର, ଫ୍ରିରେ ବହି-ୟୁନିଫର୍ମ, ବିଭିନ୍ନ ଯୋଜନାରେ ଫ୍ରି ଟଙ୍କା, କାଳିଆ ଯୋଜନାରେ ଫ୍ରି ଟଙ୍କା, କୃଷକଙ୍କୁ ଋଣ ଛାଡ, ପୁଞ୍ଜିପତିଙ୍କୁ ଆହୁରି ଛାଡ ଏପରି ଅନେକ ଛାଡ ଓ ଫ୍ରି ଯୋଜନା ଆଗରୁ କାର୍ଯ୍ୟକାରୀ ହୋଇଆସୁଛି l କାହିଁ ଏଗୁଡିକ ଉପରେ ତ ପ୍ରଶ୍ନ ଉତ୍ଥାପନ କରାଯାଉ ନାହିଁ l ପୂର୍ବରୁ ଏ ସମସ୍ତ ଯୋଜନା ଯଦି ଜନକଲ୍ୟାଣକାରୀ ତେବେ ବିଦ୍ଯୁତ ଦେୟ ଛାଡ କାହିଁକି ନୁହେଁ ? ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଯେଉଁ ନୀତିରେ ଲୋକମାନଙ୍କୁ ଜନକଲ୍ୟାଣକାରୀ ଯୋଜନା ଦେଇଛନ୍ତି, ଯେଉଁ ନୂଆ ଦଳ ଆସିବ ସେମାନେ ମଧ୍ୟ ଏହିପ୍ରକାର ଯୋଜନା ଦେବାକୁ ବାଧ୍ୟ l ଅନ୍ୟଥା ପ୍ରତିଯୋଗିତାରେ ରହିପାରିବେ ନାହିଁ l ତେଣୁ ଫ୍ରି ଯୋଜନାର ଜନକଭାବେ ଆପକୁ ଦୋଷ ଦିଆଯାଇ ପାରିବ ନାହିଁ l
ଅନ୍ୟ ଏକ ଅଭିଯୋଗ ଆସୁଛି ଯେ ଫ୍ରି ଯୋଜନା ଦେଶକୁ ଶ୍ରୀଲଙ୍କା ସ୍ତରକୁ ନେଇଯିବ l ଶ୍ରୀଲଙ୍କା ଆର୍ଥିକଭାବେ ଦେବାଳିଆ ହୋଇଯାଇଛି l ଆକାଶ ଛୁଆଁ ଦରଦାମ ସହିତ ଅତ୍ୟାବଶ୍ଯକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି l ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ତିଆରି ହୋଇଛି l ପ୍ରକୃତ ପକ୍ଷେ ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତି ଫ୍ରି ଯୋଜନା ସହିତ ଆଦୌ ସମ୍ପୃକ୍ତ ନୁହେଁ l ସେଠାକାର ଅବସ୍ଥା ପାଇଁ ସାମ୍ପ୍ରଦାୟିକ ରାଜନୀତି, ଅତ୍ୟଧିକ ଋଣଭାର, ଦୂରଦୃଷ୍ଟିର ଅଭାବ, ରାଜନେତାଙ୍କ ସ୍ୱେଚ୍ଛାଚାରିତା ଓ ବିଳାସପୂର୍ଣ୍ଣ ଜୀବନ ଦାୟୀ l ଫ୍ରି ଯୋଜନା ଯୋଗୁଁ ଆର୍ଥିକ ସଙ୍କଟର ଆଭାସ ପାଇଥିଲେ ସେମାନେ ସଂଗେ ସଂଗେ ଏପରି ଯୋଜନାକୁ ପ୍ରତ୍ୟାହାର କରିନେଇଥାନ୍ତେ l ଅସଲ କଥା ହେଉଛି ଆମ୍ ଆଦମୀ ପାର୍ଟିକୁ ବଦନାମ କରିବା ପାଇଁ ଓ ଅଟକାଇବା ପାଇଁ ଏପରି ଅପପ୍ରଚାର କରାଯାଉଛି ବୋଲି ଆପ କର୍ମକର୍ତ୍ତାଙ୍କ ମତ l
ଅଭିଯୋଗ ଆସୁଛି ଏପରି ଫ୍ରି ଯୋଜନା ଦ୍ୱାରା ଗୋଟିଏ ରାଜ୍ୟର ଅର୍ଥନୀତି ଦେବାଳିଆ ହୋଇଯିବ l ଫଳରେ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ହୋଇପାରିବ ନାହିଁ l ଏହା ମଧ୍ୟ ସତ୍ୟ ନୁହେଁ ବୋଲି ଆପ୍ କର୍ମୀ କହୁଛନ୍ତି l ଦିଲ୍ଲୀ ସରକାରଙ୍କୁ ବିଚାରକୁ ନେଲେ ଏକଥା ସ୍ପଷ୍ଟ ହୋଇଯିବ l ସେଠାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ମୁକ୍ତ, ମାସକୁ ୨୦ ହଜାର ଲିଟର ପାଣି ମୁକ୍ତ, ଶିକ୍ଷା ମୁକ୍ତ, ସ୍ବାସ୍ଥସେବା ମୁକ୍ତ, ବସରେ ମହିଳାଙ୍କ ଯାତ୍ରା ମୁକ୍ତ l ଏ ସମସ୍ତ ଫ୍ରି ସତ୍ତ୍ବେ ସରକାରଙ୍କ ଆର୍ଥିକ ସ୍ଥିତି ମଜଭୁତ ଅଛି l ବିକାଶ କାର୍ଯ୍ୟ ଠିକ ଚାଲିଛି l ବିଗତ ସାତବର୍ଷ ଧରି ଆପ୍ ସରକାର ଆସିବା ପରେ କୌଣସି ଟେକ୍ସ ବଢାଯାଇନାହିଁ l ନୂତନ ଋଣ ନାହିଁ l ତଥାପି ଦିଲ୍ଲୀ ବଜେଟ ସନ୍ତୁଳିତ ବୋଲି କୁହାଯାଉଛି l ଏହା ସମ୍ଭବପର ହୋଇଛି ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବା ଯୋଗୁଁ l ବାଟମାରଣା ଅର୍ଥକୁ ଏହି ସମସ୍ତ ଯୋଜନାରେ ଲଗାଯାଉଛି l
ଏହି ଦେୟମୁକ୍ତ ଯୋଜନା ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବ ବୋଲି ଆପ କର୍ମୀଙ୍କ ଯୁକ୍ତି l ପ୍ରଥମେ ରାଜ୍ୟରେ ବିଦ୍ୟୁତ ଉପଯୋଗ କମିବ l ସମସ୍ତେ ଚାହିଁବେ ଏହାକୁ ୨୦୦ ୟୁନିଟ୍ ମଧ୍ୟରେ ସୀମିତ ରଖିବା ପାଇଁ l କାରଣ ଉପଯୋଗ ଏହାଠାରୁ ଅଧିକ ହେଲେ ପୂର୍ଣ୍ଣ ଦେୟ ଦେବାକୁ ହେବ l ବଳକା ବିଦ୍ୟୁତ ଅନ୍ୟ ରାଜ୍ୟମାନଙ୍କୁ ବିକି ଓଡିଶା ଲଭାବନ ହେବ l ଦ୍ଵିତୀୟରେ ଗରିବ ପରିବାର ଲୋକଙ୍କ ଆର୍ଥିକ ବିକାଶ ହେବ l ୨୦୦ ୟୁନିଟ୍ ମଧ୍ୟରେ ବିଦ୍ୟୁତ ଉପଯୋଗକାରୀ ପରିବାର ନିଶ୍ଚିତ ରୂପେ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ବର୍ଗର l ଏମାନେ ମାସକୁ ୮୦୦ ଟଙ୍କା ପର୍ଯ୍ଯନ୍ତ ସଞ୍ଚୟ କରିପାରିବେ l ତୃତୀୟରେ ବାଣିଜ୍ୟ ବ୍ୟବସାୟ ବଢିବ l ବିଦ୍ୟୁତ ଦେୟ ବାବଦକୁ ସଂଚିତ ଅର୍ଥକୁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟୟ କରିବେ l ଫଳରେ ବିକ୍ରି ବଢିବ l ବିକ୍ରି ବଢିଲେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ବଢିବ l ଉତ୍ପାଦନ ବୃଦ୍ଧି ପାଇଁ କର୍ମ ନିଯୁକ୍ତି ସୃଷ୍ଟି ହେବ l ରାଜ୍ୟର ଅର୍ଥନୀତି ଗତିଶୀଳ ହେବ l
ଆପ କର୍ମୀମାନେ ଯୁକ୍ତି କରୁଛନ୍ତି ଯେ ଆଜିକାଲି ଖାଦ୍ୟ, ଜଳ, ବସ୍ତ୍ର ପରି ବିଦ୍ୟୁତ ଉପଯୋଗ ମଧ୍ୟ ଅତ୍ୟାବଶକ ହୋଇଯାଇଛି l ସମସ୍ତେ କାହିଁକି ବିଦ୍ୟୁତ ସେବା ପାଇବେ ନାହିଁ l ଏହା ମାନବିକତାର ପ୍ରଶ୍ନ l ସମସ୍ତଙ୍କୁ ଏ ସେବା ଦେବା ଯେକୌଣସି ସରକାରଂକ ନୈତିକ କର୍ତ୍ତବ୍ୟ l ଦିଲ୍ଲୀରେ ବିଦ୍ଯୁତ୍ ଉତ୍ପାଦନ ନଥାଇ ୨୦୦ ୟୁନିଟ୍ ପର୍ଯ୍ଯନ୍ତ ଏହାକୁ ଦେୟମୁକ୍ତ କରା ଯାଇଥିବା ବେଳେ ଓଡିଶା ବଳକା ବିଦ୍ଯୁତ୍ ଉତ୍ପାଦକଭାବେ ଏହା କରିପାରିବ ନାହିଁ କାହିଁକି ?
ଦସ୍ତଖତ ସଂଗ୍ରହ ଅଭିଯାନ ଜରିଆରେ ଆମ୍ ଆଦମୀ ପାର୍ଟି ଯେଉଁ ଦାବି କରୁଛି ତାକୁ ସରକାର କେତେ ଗୁରୁତ୍ବ ଦେବେ ତାହା ଭିନ୍ନ କଥା, ତେବେ ଏହା ଦ୍ୱାରା ଆପ୍ ରାଜ୍ୟରେ ଏକ ବ୍ୟାପକ ଜନସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ପ୍ରୟାସ ସ୍ପଷ୍ଟ l ଆପ୍ କର୍ମୀମାନେ ଗାଁରୁ ଗାଁ, ବସ୍ତିକୁ ବସ୍ତି, ଘରକୁ ଘର ବୁଲି ଦିଲ୍ଲୀ ମଡେଲ ସରକାରର ବ୍ୟାପକ ପ୍ରଚାର କରୁଛନ୍ତି l ଭ୍ରଷ୍ଟାଚାର ବିରୁଦ୍ଧରେ ଲଢୁଥିବା ଏହା ଏକମାତ୍ର ଦଳ l ଏହା ସାଧାରଣ ଜନତାଙ୍କ ପାର୍ଟି l ଅନ୍ଯ ସମସ୍ତ ଦଳ ପୁଞ୍ଜିପତିିଙ୍କ l ଦେଶରେ ବ୍ଯବସ୍ଥାର ପରିବର୍ତ୍ତନ କରି ପ୍ରକୃତ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏ ପାର୍ଟି ସଂକଳ୍ପବଦ୍ଧ l ଏହା ପ୍ରକୃତ ରାଷ୍ଟ୍ରବାଦୀ ଓ ସ୍ୱଚ୍ଚୋଟ ଲୋକଙ୍କ ପାର୍ଟି l ରାଜନୀତି ନୁହେଁ କ୍ରାନ୍ତି ଆଣିବା ଏହାର ଲକ୍ଷ୍ୟ କହି ଲୋକଙ୍କୁ ଅକ୍ରୁଷ୍ଟ କରୁଛି l ବିଶେଷଭାବେ ଛାତ୍ର ଓ ଯୁବ ସମାଜ ଉପରେ ଅଧିକ ଧ୍ଯାନ ଦେଉଛି l ଲକ୍ଷ୍ୟ ହେଉଛି ୨୦୨୪ ନିର୍ବାଚନ l ଯେଉଁଥିରେ ଆପ୍ ଏକ ଲମ୍ବା ଡିଆଁ ମାରିବାର ଚେଷ୍ଟାରେ ଅଛି l

Leave a Reply

Your email address will not be published. Required fields are marked *