ଫୋକସ ପ୍ଲସ ୨୦/୦୬/୨୨(ବ୍ୟୁରୋ): ପ୍ରାଚୀନ ଭାରତର ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି ହେଉଛି ଯୋଗ । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ,ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି ।ରାଜ ଯୋଗ,ହଠ ଯୋଗ,ଲୟ ଯୋଗ, କୁଣ୍ଡଳିନୀ ଯୋଗ, କର୍ମ ଯୋଗ,ଜ୍ଞାନ ଯୋଗ,ଭକ୍ତି ଯୋଗ ଇତ୍ୟାଦି |ଯୋଗ ହେଉଛି ଅନ୍ତରଚେତନା ର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା । ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ ।ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ, ଚିନ୍ତା ଏବଂ କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା, ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ । ”
ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ ।ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ହୁଏ ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ହେବା ଆବଶ୍ୟକ |
୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ।ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, “ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ ।ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ ନୁଆଁଦିଲ୍ଲୀ ର ରାଜପଥ ଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ ।ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନା ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଅଧାଘଣ୍ଟା ଧରି ଯୋଗ କରିଥିଲେ । ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ, ବ୍ୟୁରୋକ୍ରାଟ, କୂଟନୈତିଜ୍ଞ ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୨ ହଜାର ଡିଜିଟାଲ ସିନେମା ସ୍କ୍ରିନ ବ୍ୟବସ୍ଥା କରାଯାଇଥିଲା ।ଏହି ଆୟୋଜନ ୧୦ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲା । ୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ । ଆଉ ଏହା ବିଶ୍ୱ ରେକର୍ଡ ହେବା ସହିତ ‘ଗିନିଜ ବୁକ ଅଫ ବର୍ଲ୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା । ଏହା ସହିତ ଦେଶର ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଘରୋଇ ଓ ସରାକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଯୋଗ ଦିବସ ପାଳନ କରିଥିଲେ । ସେହିପରି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା ।
କର ଯୋଗ, ରୁହ ନିରୋଗ
