ସଇତାନ ସାଜିଲେ ୨ ପୁଅ; ମା’ର କାଟିଲେ ଗଳା

କଟକ : ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ବର୍ବରତାର ସବୁ ସୀମା ଟପିଗଲେ ୨ ପୁଅ। ମା ପୁଅର ପବିତ୍ର ସମ୍ପର୍କକୁ ଭୁଲିଗଲେ ୨ ସଇତାନ ପୁଅ । ଯେଉଁ ମା ତାଙ୍କୁ କଷ୍ଟ ଯନ୍ତ୍ରଣା ସହି ୧୦ ମାସ ଦଶଦିନ ଗର୍ଭରେ ରଖି ତାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲା ଶେଷରେ ସେଇ ମା କୁ ହତ୍ୟା କରିବାକୁ ପଛେଇଲେନି ୨ ପୁଅ। ଏଭଳି ଏକ ଘଟଣା କଟକ ଜିଲ୍ଲାର ମହାନଦୀ ବିହାରରେ ଘଟିଥିବା ଦେଖିବାକୁ ମିଳିଛି। ହତ୍ୟାକାଣ୍ଡ ପରେ ଗୋଟେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ମହାନଦୀ ବିହାର ସ୍ଥିତ ଘରେ ମା’ ଓ ଦୁଇ ପୁଅ ରୁହନ୍ତି। ଆଜି ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ। ଘରପାଖରେ ଥିବା ପଡ଼ୋଶୀ ମା’ର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏହାପରେ ଘରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମା’ ୨ ପୁଅଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ବୋଲି ପଡୋଶୀଙ୍କ ଠାରୁ ପୋଲିସ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *