କିମ୍‍ସରେ ୧୫ଜଣିଆ ଡାକ୍ତର ଟିମ ଅଢ଼େଇ ବର୍ଷର ଶିଶୁକୁ ଦେଲେ ନୂଆ ଜୀବନ

ଭୁବନେଶ୍ୱର: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ୨ ବର୍ଷ ୭ ମାସର ଶିଶୁ କନ୍ୟା । ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ହୋଇଛି । ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ଟ୍ୟୁମର ଫୁସ୍‍ଫୁସ୍‍ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ପାଇବା ସହ ପେଟ ଫୁଲି ରହୁଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପରେ ଶିଶୁଟିର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ବିରଳ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିମ୍‍ସ ହେମାଟୋ ଅନ୍‍କୋଲୋଜିଷ୍ଟ ଡା ପଳାସ ଦାସଙ୍କ ତତ୍ତ୍ୱାବଧାନରେ ତୁରନ୍ତ କେମୋଥେରାପି ଆରମ୍ଭ କରାଯାଇଥିଲା। କେମୋ ଦେବା ପରେ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଟ୍ୟୁମରଟି ବଡ଼ ଥିଲା। ଶିଶୁଟିର ଏଭଳି ଅବସ୍ଥାରେ କିମ୍‍ସର ଇଣ୍ଟରଭେନ୍‍ସନାଲ୍‍ ରେଡିଓଲୋଜିଷ୍ଟ ଡା. ସ୍ୱାତୀ ଦାସଙ୍କ ପରାମର୍ଶ କ୍ରମେ ଟେସ୍‍ ପ୍ରକ୍ରିୟାରେ କେମୋ ପ୍ରଦାନ କରାଯିବା ସହ ଟ୍ୟୁମରକୁ ଯାଇଥିବା ରକ୍ତବାହୀ ନଳୀରେ କେମୋ ପ୍ରଦାନ କରାଯାଇଥିଲା। ପରେ ୭ଟି ବିଭାଗର ୧୫ଜଣ ଡାକ୍ତରଙ୍କ ମିଳିତ ସହଯୋଗରେ ଶିଶୁଟିର ଯକୃତ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଶିଶୁ ଶଲ୍ୟ ବିଭାଗ ମୁଖ୍ୟ ଡା. ପି. କେ ଜେନାଙ୍କ ନେତୃତ୍ୱରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା ବେଦବ୍ୟାସ ମହାପାତ୍ର, ଶିଶୁ ଶଲ୍ୟ ବିଶେଷଜ୍ଞ ଡା. ବର୍ଷା ଏମ୍‍ ତୋତାଦ୍ରିଙ୍କ ଦ୍ୱାରା ଟିମ୍‍ର ସହଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ସୁସ୍ଥ ଜୀବନ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *