ଟାଙ୍ଗୀ23/11/23; ଭୁଷଣ୍ଡପୁର ଫାଣ୍ଡି ଅଧିନସ୍ଥ ‘ଉଜ୍ୱଳା-ଗୋପିନୀଥପୁର’ ଗ୍ରାମରେ ଜଣେ ଶିଶୁ ପୁତ୍ରକୁ ଅପହରଣ ପରେ ହତ୍ୟା ଓ ମୃତଦେହ ଲୁଚାଇବା ଘଟଣା ବେଶ୍ ଆଲୋଡ଼ନ ସୃଷ୍ଟି କରିଛି। ଏବେ ଏହି ମାମଲାର ୪ ଦିନ ପରେ ଟାଙ୍ଗୀ ପୋଲିସ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି। ସେପଟେ ହତ୍ୟାକାରୀମାନଙ୍କୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ ଶିଶୁପୁତ୍ରର ପରିବାରଲୋକେ। ସୂଚନାଯୋଗ୍ୟ, ନଭେମ୍ବର ୧୭ ତାରିଖରେ ‘ଉଜ୍ୱଳା-ଗୋପିନାଥପୁର’ ଗ୍ରାମର ସୁବାଷ ପ୍ରଧାନଙ୍କ ଶିଶୁପୁତ୍ର ସୌମ୍ୟ ରଞ୍ଜନ ଓରଫ୍ ରାହୁଲ (୪) ନିଖୋଜ ହୋଇଯାଇଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ରାହୁଲ ନମିଳିବାରୁ ଭୁଷଣ୍ଡପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ଅନୁସାରେ ଟାଙ୍ଗୀ ଥାନା ଇନ୍ସପେକ୍ଟର, ବାଲୁଗାଁ SDPO, ଖୋର୍ଦ୍ଧା SP ଘଟଣାସ୍ଥଳରେ ପହଞ୍ଚି ଏକାଧିକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ୨୧ ତାରିଖରେ ଶିଶୁପୁତ୍ରର ମୃତଦେହକୁ ଜଙ୍ଗଲ ମଧ୍ୟରେ ଥିବା ପଥରଖଣିରୁ ଉଦ୍ଧାର କରିଥିଲା। ହତ୍ୟା ପରେ ମୃତଦେହରେ ଲୁଚାଇବା ପାଇଁ ଏକ ଲୁଙ୍ଗିରେ ପଥର ବାନ୍ଧି ମୃତଦେହକୁ ଉକ୍ତ ମାଙ୍କଡା-ପଥରଖଣିରେ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ। ଘଟଣାରେ ଅଧିକ ତଦନ୍ତ କରିବା ସହ ସନ୍ଦେହ ଆଧାରରେ କିଛି ଲୋକଙ୍କୁ ଥାନାରେ ଅଟକ ରଖିଥିଲା। ଆଉ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଏଭଳି ଅମାନବୀୟ କାଣ୍ଡ ଭିଆଇଥିଲେ । ଗିରଫ ଅଭିଯୁକ୍ତ ଦୁହେଁ ସେହି ଗାଁର ମୁକ୍ତେଶ୍ୱର ପ୍ରଧାନ ଓ ପ୍ରକାଶ ପରିଡ଼ା । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସପି।
୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା: ୨ ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ୍ |
