ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ଅବସରରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରୁ ପୁରୀକୁ ଯିବା ପାଇଁ ୪ ଲେନ ରାସ୍ତାକୁ ୬ ଲେନ କରିବା ପାଇଁ ପ୍ରସ୍ତାବ ଅଛି । ଏହାକୁ ୬ ଲେନରୁ ୮ ଲେନ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସର୍ଭିସ୍ ରୋଡ଼ ମଧ୍ୟ କରିବା ପାଇଁ ଦେଇଥିଲେ ପ୍ରସ୍ତାବ । ଆଗାମୀ ୧୦୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ କୋଷ୍ଟାଲ ହାଇୱେ ରାସ୍ତାକୁ ୨ ଲେନରୁ ୪ ଲେନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । CRIFରେ ୮ଶହ କୋଟିର ଆବଶ୍ୟକତା ଅଛି । କେନ୍ଦ୍ର ସରକାର ସେୟାର ଯଦି ପ୍ରଦାନ କରିବେ ତେବେ ରାଜ୍ୟ ସରକାର ମଧ୍ୟ ନିଜ ସେୟାର ଦେଇ କାର୍ଯ୍ୟ ତ୍ବରାନ୍ବିତ କରି କାମ ଗୁଡ଼ିକୁ ଶେଷ କରାଯାଇପାରିବ । ଆଗକୁ କେନ୍ଦ୍ର ସଡ଼କ, ପରିବହନ ବିଭାଗ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବା ପାଇଁ ଅନୁରୋଧ କଲେ । ଏହାସହ ଆଗାମୀ ଦିନରେ ମଧ୍ୟ ଅନେକ ପ୍ରକଳ୍ପ ଗୁଡ଼ିକର ଡିପିଆର ସଙ୍କଳନ କରାଯାଉଛି ।