୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଆଗାମୀ ୩ ଦିନରେ ବଢିବ ଶୀତ ଲହରୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଥିବାରୁ ଅଧିକାଂଶ ସହରରେ ଥଣ୍ଡା ଅନୁଭୂତ ହେଉଛି। ଉପକୂଳରେ ରାତିର ତାପମାତ୍ରା ଟିକିଏ ଅଧିକ ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ତାପମାତ୍ରା ସ୍ୱଭାବିକ ରହିଛି। ଗତକାଲି ରାତିରେ ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ ତଳକୁ ଖସିଆସିଥିବା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ତଥା ଉତ୍ତରଭାରତରେ ପ୍ରବଳ ଶୀତ ପଡ଼ିବା ଆରମ୍ଭ ହୋଇଛି। ସକାଳ ଓ ସନ୍ଧ୍ୟାରେ ଘନ କୁହୁଡି ଦେଖାଯିବା ଆରମ୍ଭ କରିଛି। ଶୀତଳ ପବନ କାରଣରୁ ଶୀତର ମାତ୍ରା ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ସବୁ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି। ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ସକାଳ ଓ ସନ୍ଧ୍ୟାରେ କୁହୁଡ଼ି ବ୍ୟାପିବାରେ ଲାଗିଛି ଏବଂ ଥଣ୍ଡା ଅନୁଭୂତ ହେଉଛି।

ଗତକାଲି କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଜିଲ୍ଲାରେ ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ଦେଖାଦେଇନଥିବା ବେଳେ ମାର୍ଗଶୀର ମାସ ଆରମ୍ଭରୁ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଏହା ସାଙ୍ଗକୁ ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଫୁଲବାଣୀରେ ୧୧, ଦାରିଙ୍ଗିବାଡ଼ିରେ ୧୨, ସେମିଳିଗୁଡ଼ାରେ ୧୨.୧, ଭବାନୀପାଟଣା ଓ ଅନୁଗୋଳରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୧ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୩ ଡିଗ୍ରୀ, ଚିପିଲିମାରେ ୧୩.୮ ଡିଗ୍ରୀ, ଭଦ୍ରକ ଓ ସୁନ୍ଦରଗଡ଼ାରେ ୧୪ ଡିଗ୍ରୀ, କିରେଇରେ ୧୪.୩ ଡିଗ୍ରୀ, କେନ୍ଦୁଝରରେ ୧୪.୬ ଡିଗ୍ରୀ, ଢେଙ୍କାନାଳରେ ୧୪.୯ ଡିଗ୍ରୀ, ବଲାଙ୍ଗୀରରେ ୧୫ ଡିଗ୍ରୀ ରେକର୍ଡ କରାଯାଇଛି। 

ସେହିପରି ଭୁବନେଶ୍ୱର ଓ କଟକ ସହରରେ ପାରଦ ଆଜି ଆହୁରି ହ୍ରାସ ପାଇ ଯଥାକ୍ରମେ ୧୬ ଓ ୧୬.୫ ଡିଗ୍ରୀ ରହିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲା ଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। 

Leave a Reply

Your email address will not be published. Required fields are marked *