ସୋର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍! 

ସୋର, ୪/୮ : ବାଲେଶ୍ଵର ଜିଲ୍ଲା ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ବ୍ୟବସାୟୀଙ୍କ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ଲୁଟ୍। ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୋର ଥାନା ଦହିସଡ଼ା ଗ୍ରାମର ବ୍ୟବସାୟୀ ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ରବିବାର ଦହିସଡ଼ା ଗ୍ରାମର ବ୍ୟବସାୟୀ ଜ୍ଞାନେନ୍ଦ୍ର ଉପାଧ୍ୟାୟଙ୍କ ପତ୍ନୀ ଏବଂ ତାଙ୍କ ମାଆ ଉଦଳା ଯାଇଥିଲେ। ଘରେ କେବଳ ଜ୍ଞାନେନ୍ଦ୍ର ଓ ତାଙ୍କ ଭଉଣୀ ପ୍ରମିଳା ଥିଲେ। ବିଳମ୍ବିତ ରାତିରେ ପାଞ୍ଚ ଜଣ ଦୁର୍ବୃତ୍ତ ମୁହଁରେ କଳା ମୁଖା ପିନ୍ଧି ବିଭିନ୍ନ ମରଣାସ୍ତ୍ର, ବନ୍ଧୁକ ଧରି ଘରେ ପଶି ଜ୍ଞାନେନ୍ଦ୍ର ଏବଂ ତାଙ୍କ ଭଉଣୀଙ୍କ ହାତ ଗୋଡ଼ ବାନ୍ଧି ଭୟଭୀତ କରିଥିଲେ। ଏହାପରେ ନଗଦ ଟଙ୍କା ସମେତ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଉଭୟଙ୍କ ମୋବାଇଲ ଲୁଟ କରି ନେଇଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମର୍ଣ୍ଣି ୱାକରେ ଆସିବା ପରେ ଜ୍ଞାନେନ୍ଦ୍ରଙ୍କ ନିକଟରୁ ଖବର ପାଇ ସୋର ଥାନାକୁ ଖବର ଦେଇଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନର ବ୍ୟବଧାନ ପରେ ଚୋରମାନେ ପୁଣି ହାତଗୋଡ଼ ବାନ୍ଧି ଲୁଟ କରିଥିବା ବେଳେ ସୋରରେ କୁକୁଆ ଭୟ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *