ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ସୁଦର୍ଶନ

ଫୋକସ ପ୍ଲସ(ହରିଚନ୍ଦନପୁର): ଦିବ୍ୟାଙ୍ଗ ଶିଶୁ ପଢ଼ିବା ଓ ବଢ଼ିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି |ହେଲେ ବାସ୍ତବରେ ପ୍ରଶାସନର ଅବହେଳା ଯୋଗୁଁ ପୃଷ୍ଠିହିନତା ଶିକାର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଦିବ୍ୟାଙ୍ଗ ।ଏମିତି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ସାନ କମଣ୍ଡରା ଗାଁ ଜୁଆଙ୍ଗ ସାହିର ରମେଶ ଜୁଆଙ୍ଗ ଓ ମୁକ୍ତା ଜୁଆଙ୍ଗଙ୍କ ୧୨ବର୍ଷର ପୁଅ ସୁଦର୍ଶନ ଜୁଆଙ୍ଗ ।ଜନ୍ମର କେଇଟା ଦିନ ପରଠାରୁ ଖଟିଆରେ ପଡି ରହିଛି । ଉଠିବା କି ବସିବାକୁହେଲେ କାହାର ସାହାରା ନେବାକୁ ପଡୁଛି ବହୁ କଷ୍ଟରେ ଢ଼ଳିଢ଼ଳି ଛିଡା ହୋଇ ପାରୁଛି |

ଅଧିକାଂଶ ସମୟରେ ତାଙ୍କ ବିକଳ କାନ୍ଦରେ ଫାଟି ପଡୁଛି ଘର। ଗରିବ ମା’ ବାପା ପୁଅର ଚିକିତ୍ସା କରାଇ ପାରୁନାହାନ୍ତି । ଅର୍ଥାଭାବ ଚିକିତ୍ସାରେ ପ୍ରତିବନ୍ଧକ ସାଜିଛି । ଏପଟେ ଦିବ୍ୟାଙ୍ଗ ଶିଶୁକୁ ସାର୍ଟିଫିକେଟ, ଭତ୍ତା କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ବି ମିଳୁପାରୁନି । ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କିମ୍ବା ବିଦ୍ୟାଳୟ ଦେଖି ନାହାନ୍ତି । ନିଜ ଆଖି ଆଗରେ ପିଲାର ଦୁଃଖ ଦେଖୁଥିଲେ ସୁଦ୍ଧା କିଛି କରି ପାରୁନାହାନ୍ତି ଗରିବ ମା’ ବାପା ଅସହାୟ ଜୁଆଙ୍ଗ ଦମ୍ପତି। ଦିନଥିଲା ରମେଶ ଜୁଆଙ୍ଗଙ୍କ ପରିବାର ହସଖୁସିରେ ଚାଲିଥିଲା । ଶିଶୁପୁତ୍ର ଜନ୍ମଦେବା ପରେ ଘରେ ସମସ୍ତେ ଆନନ୍ଦରେ ନାଚି ଉଠିଥିଲେ । ପୁଅର ନାମ ଦେଇଥିଲେ ସୁଦର୍ଶନ। ହେଲେ ଜନ୍ମର ମାସକ ପରେ ଶିଶୁଟି ଦିବ୍ୟାଙ୍ଗ ହୋଇଥିବା ଜଣାପଡିଥିଲା । ହାତଗୋଡ ଠିକସେ କାର୍ଯ୍ୟକ୍ଷମ ହେଲାନାହିଁ। ନିସ୍ତେଜ ହୋଇ ପଡି ରହିଲା ସେ। ଏପରି ପରିସ୍ଥିତିରେ ପରିବାର ଖୁସି ଅଳ୍ପଦିନରେ ମିଳେଇଗଲା।

ପୁଅର ଚିକିତ୍ସା ଓ ଅନ୍ୟାନ୍ୟ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ରମେଶ ଜୁଆଙ୍ଗ। ଏ ନେଇ ହରିଚନ୍ଦନପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୋତିଲାଲ ନାଏକଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ଥିବା କହିଥିବା ବେଳେ ୟୁଡ଼ି ଆଇଡି ପାଇଁ ଆବେଦନ ହୋଇଛି ଖୁବ୍ ଶୀଘ୍ର ଡାକ୍ତରୀ ରିପୋର୍ଟ ଆସିଲା ପରେ ଆବଶ୍ୟକ ଅନୁଯାୟୀ ଯୋଜନାରେ ସାମିଲ କରାଯାଇ ଖୁବ୍‌ଶୀଘ୍ର ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

 

ହରିଚନ୍ଦନପୁରରୁ ଲକ୍ଷ୍ମଣ କୁମାର ମହାନ୍ତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *