ଫୋକସ ପ୍ଲସ 23/2/23(ବାଲେଶ୍ୱର):ଶିକ୍ଷାବିଭାଗର ମନମୁଖୀ କାର୍ଯ୍ୟକୁ ବିରୋଧ ସ୍କୁଲରେ ତାଲାବନ୍ଦ ଆନ୍ଦୋଳନ l ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି l ଶିକ୍ଷାବିଭାଗର ବସ୍ତା ବିଇଓ ଓ ଏବିଇଓ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଅବିଭାବକ, ଗ୍ରାମବାସୀ, ପରିଚାଳନା କମିଟି, ଶାନ୍ତି କମିଟି ପକ୍ଷରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି l ଏବିଇଓ ବିଜୟ କୁମାର ଜେନା ଓ ବାସନ୍ତିଲତା ପୃଷ୍ଟି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ବୁଝାସୁଝା ହୋଇଥିଲେ ହେଁ କୌଣସି ସୁଫଳ ମିଳି ନାହିଁ l ଫଳରେ ପାଠପଢା ବନ୍ଦ ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଫାଟକ ବାହାରେ ଅପେକ୍ଷା କରିଥିଲେ l
ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟାଳୟର ବିଭିନ୍ନ ଅନିୟମିତତା ଓ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତେଜନା ଦେଖାଦେଇଛି l ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି, ସ୍କୁଲରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସହକାରୀ ଶିକ୍ଷୟିତ୍ରୀ ମିନତୀ ସୋରେନଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ଜଣେ ଶିକ୍ଷକ ନିଯୁକ୍ତି,ପାଚିକା ନିଯୁକ୍ତି, ସିଆରସିସିଙ୍କ ବଦଳି, ବିଭିନ୍ନ ଅନିୟମିତତା ସମ୍ପର୍କରେ ପୂର୍ବତନ ବିଇଓ ଏକ ସ୍ୱତନ୍ତ୍ର ଟିମ ସହ ବିଦ୍ୟାଳୟରେ ବାରମ୍ବାର ତଦନ୍ତ କରି ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ବେହେରାଙ୍କ ବିରୁଦ୍ଧରେ ଏଯାବତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଆଦି ଦାବିରେ ସ୍କୁଲତାଲା ବନ୍ଦ ହୋଇଥିଲା l
ତୁରନ୍ତ ସିଆରସିସି ଅନିଲ ପାତ୍ର ଓ ଶିକ୍ଷୟିତ୍ରୀ ମିନତୀ ସୋରେନଙ୍କ ବଦଳି ସହ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତି କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଥିଲା l ସମସ୍ୟା ସମାଧାନ ଦିଗରେ ବିଭାଗ ପକ୍ଷରୁ ବାରମ୍ବାର ପ୍ରତିଶୃତି ମିଳୁଥିଲେହେଁ ତାହା ପ୍ରତାରଣାରେ ପରିଣତ ହୋଇଥିବାରୁ ଅସନ୍ତୋଷ ଲାଗି ରହିଛି l ଜିଲାଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ସମସ୍ୟା ସମାଧାନ କଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ଅବିଭାବକ ମହଲରୁ କୁହାଯାଇଛି l